ରାଉରକେଲା: ଚକ୍ରଧରପୁର-ରାଉରକେଲା ମାଓବାଦୀ ପ୍ରବଣ ଅଞ୍ଚଳରେ ରାତିରେ ବନ୍ଦ ରହିବ ଟ୍ରେନ ଚଳାଚଳ । କେବଳ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶ ଆସିଲେ ଟ୍ରେନ ଚଳାଚଳ ବନ୍ଦ ରଖାଯିବ ବୋଲି ଚକ୍ରଧରପୁର ରେଳବାଇ ସିନିୟର ଡିସିଏମ୍ ଗଜରାଜ ସିଂ କହିଛନ୍ତି । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୋଏଲକେରା-ପୋସେଇତା ହାୱଡା-ମୁମ୍ବାଇ ମୁଖ୍ୟ ରେଳଲାଇନ ବିସ୍ଫୋରଣ ପରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚକ୍ରଧରପୁର-ରାଉରକେଲା ନକ୍ସଲ ପ୍ରଭାବିତ ଅଞ୍ଚଳରେ ମାଓବାଦୀ ହିଂସାକାଣ୍ଡ ଘଟାଇପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଗୁଇନ୍ଦା ବିଭାଗର ସୂଚନାପରେ ରେଳବାଇ ବୋର୍ଡ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଯାତ୍ରୀ ସୁରକ୍ଷାକୁ ରେଳବାଇ ବୋର୍ଡ ଅଧିକାରୀ ଅତି ଗୁରୁତର ନେଇଛନ୍ତି ।
ଏ ସମ୍ପର୍କରେ ଚକ୍ରଧରପୁର ରେଳବାଇ ସିନିୟର ଡିସିଏମ୍ ଗଜରାଜ ସିଂ କହିଛନ୍ତି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଆସିଲେ ରାତିରେ ଟ୍ରେନ୍ ଚଳାଚଳ ବନ୍ଦ ରହିବ । ଚକ୍ରଧରପୁର ଡିଭିଜନ ରେଳବୋର୍ଡର ନିର୍ଦ୍ଦେଶକୁ ଅପେକ୍ଷା କରିଛି । ଯାହା ମାର୍ଗଦର୍ଶିକା ଆସିବ ତାକୁ, ଚକ୍ରଧରପୁର ମଣ୍ଡଳ କଡ଼ାକଡ଼ି ପାଳନ କରିବ । ଉଲ୍ଲେଖଯୋଗ୍ୟ, ଜେ୍ଞନେଶ୍ୱରୀ ଟ୍ରେନ୍ ଦୁର୍ଘଟଣା ପରେ ୫୭୧ ଦିନ ରାତିରେ ଟ୍ରେନ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା । ୨୦୧୦ ମେ ୨୭ରେ ରାତିରେ ମାଓବାଦୀମାନେ ଝାଡ଼ଗ୍ରାମ ଷ୍ଟେସନ ନିକଟରେ ବିସ୍ଫୋରଣ କରିବାରୁ ଜେ୍ଞନେଶ୍ୱରୀ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୧୫୦ରୁ ଅଧିକ ରେଳଯାତ୍ରୀଙ୍କ ଜୀବନ ଯାଇଥିଲା । ଗତକାଲି ରାତି ଘଟଣା ପରେ ରେଳବାଇ ପ୍ରଶାସନ ପୁଣି ଥରେ ଚିନ୍ତାରେ ପଡ଼ିଛି ।
Comments are closed.