ନୂଆଦିଲ୍ଲୀ:ସାଧାରଣତଃ ସମସ୍ତଙ୍କର ରୁଚି ଭିନ୍ନ ଭିନ୍ନ ହୋଇଥାଏ । କେହି କେହି ପଢିବାକୁ ରୁଚି ରଖୁଥିବା ବେଳେ ଆଉ କିଏ ନାଚିବାକୁ ପସନ୍ଦ କରିଥାନ୍ତି । ସେହିପରି ଆଉ କିଏ ଖେଳିବାକୁ ପସନ୍ଦ କରୁଥିବା ବେଳେ ଆଉକିଏ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଭଲ ପାଇଥାନ୍ତି । ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ନିଜ ରୋଜଗାରର ସମସ୍ତ ଟଙ୍କାକୁ କେବଳ ଭ୍ରମଣ ପାଇଁ ହିଁ ଖର୍ଚ୍ଚ କରିଥାଆନ୍ତି । କିଛିଦିନ ହେବ ବୁଲେଟ କପୁଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦମ୍ପତି ବୁଲେଟ୍ରେ ବର୍ତ୍ତମାନ ସୁଦ୍ଧା ୨୨ଟି ଦେଶ ଭ୍ରମଣ କରିସାରିଲେଣି ।
ଏହି ଦମ୍ପତିଙ୍କ ନାମ ଯୋଗେଶ୍ୱର ଭଲ୍ଲା ଓ ସୁଷମା ଭଲ୍ଲା । ଯୋଗେଶ୍ୱରଙ୍କ ବୟସ ୭୫ବର୍ଷ ଥିବା ବେଳେ ସୁଷମାଙ୍କ ବୟସ ୭୧ବର୍ଷ । ଏଭଳି ପରିଣତ ବୟସରେ ଏହି ଦମ୍ପତି ଏଯାବତ ୨୨ରୁ ଅଧିକ ଦେଶ ବୁଲି ସାରିଲେଣି । ଯୋଗେଶ୍ୱର ଓ ସୁଷମା ପ୍ରଥମେ ନିଜ ପରିବାର ସହିତ ବୁଲିବାକୁ ଯାଉଥିଲେ । କିନ୍ତୁ ଅବସର ନେବା ପରେ ବୁଲିବାକୁ ନିଜ ଜୀବନର ଏକ ଅଂଶ ଭାବେ ଆପଣାଇ ନେଇଛନ୍ତି । ଅବସର ନେବା ପରେ ଯୋଗେଶ୍ୱର ଭଲ୍ଲାଙ୍କ ରୋମାଞ୍ଚକର ଯାତ୍ରା ୨୦୧୧ ମସିହାରୁ ବେନିସରୁ ଆରମ୍ଭ ହୋଇଥିଲା । ଯୋଗେଶ୍ୱର ଭ୍ରମଣ ଖର୍ଚ୍ଚ ନିଜ ସେଭିଂ ଆକାଉଣ୍ଟ ଓ ପେନସନ ଟଙ୍କାକୁ ମିଶାଇ କରିଥାଆନ୍ତି ।
ଏହି ବୃଦ୍ଧ ଦମ୍ପତି ଏଯାବତ ବେଲଜିୟମ, ଭୁଟାନ, ଦୁବାଇ, ଜର୍ମାନ, ରୋମ, ସୁଇଜରଲ୍ୟାଣ୍ଡ, ତୁର୍କି ସମେତ ୨୨ରୁ ଅଧିକ ଦେଶ ଭ୍ରମଣ କରି ସାରିଛନ୍ତି । କେବଳ ଏତିକି ଦୁହେଁ, ଯୋଗେଶ୍ୱର ଭଲ୍ଲା ଦିଲ୍ଲୀର ଏକ ବାଇକର୍ସ ଗ୍ରୁପର ସଦସ୍ୟ ରହିଛନ୍ତି । ଯେଉଁଠାରେ ସେ ଅନେକ ଯୁବକଙ୍କ ସହିତ ମିଶି ଦିଲ୍ଲୀ ଓ ଆଖପାଖ ସ୍ଥାନ ବୁଲି ଥାଆନ୍ତି ।
Comments are closed.