Latest Odisha News

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା  କମିଟି: ନିମନ୍ତ୍ରଣ  ରକ୍ଷା  କରି  ସେବାୟତଙ୍କୁ  ଗୁଆ,ଚାଉଳ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନ ନିବାସରେ ଥିଲା ଆଜି ଏକ ଆଧ୍ୟାତ୍ମିକ ପରିବେଶ।  ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ପୁରା ପରିସର।  ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଗଣ, ବରିଷ୍ଠ ସେବାୟତଗଣ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କୁ ନେଇ ଏକ ୫୦ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରମ୍ପରିକ ରୀତିରେ ନିମନ୍ତ୍ରଣ କରିଥିଲେ ।

ଆଜି ଭୁବନେଶ୍ବରରେ ପହଞ୍ଚି ସେବାୟତ ଓ ଅନ୍ୟମାନେ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରି ନବୀନ ନିବାସକୁ ଆସିଥିଲେ । ନିମନ୍ତ୍ରଣ ପାଇଁ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ  ପଟ୍ଟନାୟକ । ଏଥିସହିତ  ଶ୍ରୀ ଜଗନ୍ନାଥଙ୍କ  ଉଦ୍ଦେଶ୍ୟରେ   ଗୁଆ  ଓ  ଚାଉଳ  ପ୍ରଦାନ କରିଥିଲେ । ଏହି  ଅବସରରେ  ମୁଖ୍ୟମନ୍ତ୍ରୀ  କହିଥିଲେ ଯେ  ପରିକ୍ରମା  ପ୍ରକଳ୍ପ  ଆପଣମାନଙ୍କ  କାମ ।  ସେବାୟତ  ବନ୍ଧୁ  ମାନଙ୍କ କାମ । ପୁରୀବାସୀଙ୍କ  କାମ   । ଏହି  ପବିତ୍ର  କାମ  ପାଇଁ   ଯାହା  ଆବଶ୍ୟକ  ସବୁ ସହଯୋଗ  ରାଜ୍ୟ  ସରକାର  ଯୋଗାଇଦେବେ  ବୋଲି  ମୁଖ୍ୟମନ୍ତ୍ରୀ  କହିଥିଲେ  ।

ସେବାୟତମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ପୁରୀ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ “ଆପଣ   ଇତିହାସ ରଚିଲେ। ଯୁଗ ଯୁଗ ପାଇଁ ଆପଣଙ୍କ ନାମ ଲିପିବଦ୍ଧ ହୋଇରହିବ।” ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି ବୋଲି ମତଦେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ ।

ସେବାୟତ ମାନଙ୍କ ସହିତ ଆଲୋଚନା କରି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ  କହିଲେ ଯେ,   ପରିକ୍ରମା ପ୍ରକଳ୍ପ ସମ୍ଭବ  ହୋଇପାରିଛି   । ପୁରୀ  ବାସୀଙ୍କ  ତ୍ୟାଗ  ଯୋଗୁଁ,   ସେବାୟତମାନଙ୍କ  ତ୍ୟାଗ  ଯୋଗୁ ଏହା ସମ୍ଭବ ହୋଇପାରିଛି ।  ଆପଣମାନଙ୍କ  ଅତୁଳନୀୟ  ତ୍ୟାଗ  ସବୁଦିନ  ପାଇଁ  ସମସ୍ତେ  ଶ୍ରଦ୍ଧାର  ସହ  ମନେରଖିବେ  ବୋଲି   ଶ୍ରୀ ପାଣ୍ଡିଆନ୍  କହିଥିଲେ  ।

ପୁରୀ ସହରର ବିକାଶ ପାଇଁ  ତଥା ସେବାୟତ ମାନଙ୍କ କଲ୍ୟାଣ ପାଇଁ ଯାହାକିଛି ଆବଶ୍ୟକ, ମୁଖ୍ୟମନ୍ତ୍ରୀ ସବୁକିଛି କରିବେ ବୋଲି ସେ କହିଥିଲେ   ମୁଖ୍ୟମନ୍ତ୍ରୀ ସବୁ ସେବାୟତ ମାନଙ୍କୁ ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଆଜି ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପାଇଁ ପୁରୀରୁ ଆସିଥିଲେ ପ୍ରତିନିଧି ମଣ୍ଡଳୀ।  ଗୁଆ, ନଡ଼ିଆ, ପାନ, ମାହାର୍ଦ୍ଦ ଓ ନିମନ୍ତ୍ରଣ ପତ୍ର ଦେଇ କୁତାଞ୍ଜଳି ପୁଟରେ ପରିକ୍ରମା ପ୍ରକଳ୍ପ ଉତ୍ସବରେ ଅତିଥି ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେଇଥିଲେ।

ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପରେ ଦେଶର ବିଭିନ୍ନ ପ୍ରମୁଖ ମନ୍ଦିର, ଧାମ ଓ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ପୀଠକୁ ଯାତ୍ରା କରିଥିଲେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ସ୍ଥିରୀକୃତ ଟିମ। ମୋଟ ୩୦ଟି ଟିମ ମଧ୍ୟରୁ ୧୩ଟି ଓଡ଼ିଶା ଭିତରେ ଓ ୧୭ଟି ଓଡ଼ିଶା ବାହାରେ ବିଭିନ୍ନ ଦେବସ୍ଥାନ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଯାଇ ନିମନ୍ତ୍ରଣ ଦେବେ।

Comments are closed.