Latest Odisha News

BREAKING NEWS

ଲକ୍ଷ୍ମୀ ମାଝୀ ହତ୍ୟା ମାମଲା: ଆସନ୍ତାକାଲି ୬ଘଣ୍ଟିଆ ରାୟଗଡ଼ା ବନ୍ଦ ଡ଼ାକରା ଦେଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ଗତ ୨୧ତାରିଖରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କାଶୀପୁର ଅଂଚଳର ଲକ୍ଷ୍ମୀ ମାଝୀଙ୍କୁ ଦୁର୍ବୃତ୍ତମାନେ ପୋଡି ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଥିଲେ । ଏହି ଘଟଣାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ୬ ଘଣ୍ଟିଆ ରାୟଗଡାରେ ବନ୍ଦ ଡାକରା ଦିଆଯାଇଛି । ପାଲିସ ପ୍ରଶାସନର ନୀରବତାକୁ ବିରୋଧ କରି ଏବଂ ମୃତା ଲକ୍ଷ୍ମୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଏହି ଡ଼ାକରା ଦେଇଛି ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟରେ ଘଟିଚାଲିଥିବା ବ୍ୟଭିଚାର ବିରୋଧରେ ଏବଂ ରାଜ୍ୟ ସରକାରଙ୍କ ଅପାରଗତା ବିରୋଧରେ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ବନ୍ଦ ଡାକରାକୁ ସଫଳ କରିବା ପାଇଁ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ ନିବେଦନ କରିଛନ୍ତି ।

ଲକ୍ଷ୍ମୀ ହତ୍ୟାକାଣ୍ଡର ସତ୍ୟାସତ୍ୟ ଜାଣିବା ପାଇଁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ ଏକ ପ୍ରତିନିଧି ଦଳ ଗତକାଲି ରାୟଗଡା ଗସ୍ତ କରିଥିଲେ । ଆଜି ରାଜ୍ୟ ସଭାନେତ୍ରୀ ଡା ବିଶ୍ୱାଳ ନିଜେ ରାୟଗଡା ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାୟଗଡାଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡା.ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣରେ ଓଡିଶା ଦେଶର ଚତୁର୍ଥ ସ୍ଥାନରେ ରହିଛି । ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ଅଛି । କିନ୍ତୁ ଓଡିଶାର ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ମହିଳା ବିରୋଧୀ ହିଂସାରେ ଓଡିଶା ୧ନଂ ରାଜ୍ୟ । ଓଡ଼ିଶାରେ ମହିଳା ଅସୁରକ୍ଷିତ । ମହିଳାଙ୍କ ପାଇଁ ବିଜୁ ଜନତା ଦଳର ଆତ୍ମା କାନ୍ଦୁଥିବା ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକ କହୁଛନ୍ତି କିନ୍ତୁ ବାସ୍ତବଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଓଡ଼ିଶାରେ ମହିଳା ଦୁଷ୍କର୍ମ, ହତ୍ୟା, ଅପହରଣ ଦିନକୁ ଦିନ ବଢି ଚାଲିଛି ।

ବିଶେଷକରି ଓଡ଼ିଶାରେ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା କାୟା ବିସ୍ତାର କରୁଛି । ଓଡିଶାର ମହିଳାଙ୍କୁ ନ୍ୟାୟ ଦେବାରେ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ବିଫଳ । ୨୩ବର୍ଷ ଶାସନରେ ବିଜୁ ଜନତା ଦଳ ମହିଳାଙ୍କୁ କେବଳ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରିଛି କିନ୍ତୁ ସୁରକ୍ଷା ଓ ନ୍ୟାୟ ଦେଇନାହିଁ । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ମହିଳାଙ୍କ ହତ୍ୟା ପଛରେ ଶାସକ ଦଳର ନେତାଙ୍କ ହାତ ଥିଲେ ବି ପୋଲିସ ଚୁପ୍ ବସୁଛି । ରାଜ୍ୟ ସରକାର ମହିଳାଙ୍କ ପାଇଁ କୁମ୍ଭୀର କାନ୍ଧଣା ନକାନ୍ଦି ବାସ୍ତବରେ ମହିଳାଙ୍କୁ ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ଡା. ବିଶ୍ୱାଳ କହିଛନ୍ତି । ଏକ ଫାକ୍ଟଫାଇଣ୍ଡିଙ୍ଗ ଟିମ୍‌ର ରାଜ୍ୟ ସାଧାରଣ ସମ୍ପାଦକ ବବିତା ପାତ୍ରଙ୍କ ନେତୃତ୍ୱରେ ଘଟଣା ସ୍ତଳକୁ ଯାଇ ତଦନ୍ତ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ମହିଳାମୋର୍ଚ୍ଚା ସଂଯୋଜିକା ଅରୁଣିମା ସାହୁ, କାର୍ଯ୍ୟକାରିଣୀ ସଦସ୍ୟା କେ. ଅଶ୍ୱିନୀ, ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ବି.ଲକ୍ଷ୍ମୀ, କେନ୍ଦ୍ର ଏସ୍‌ଟି ମୋର୍ଚ୍ଚା ସାଧାରଣ ସମ୍ପାଦକ କାଳିରାମ ମାଝି ପ୍ରମୁଖ ସାମିଲ ଥିଲେ ।

Comments are closed.