ଭୁବନେଶ୍ଵର: ବଢିଲା BSKY ନବୀନ କାର୍ଡ ଆବେଦନ ଅବଧି । ଗ୍ରାମାଞ୍ଚଳବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ସରକାର ସଂକଳ୍ପବଦ୍ଧ I ଏଥିଲାଗି ‘ବିଏସକେୱାଇ ନବୀନ କାର୍ଡ’ ପଞ୍ଜିକରଣ ଅବଧି ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି I ଏବେ ସୁଦ୍ଧା ୩୦ ଜିଲ୍ଲାରୁ ଆସିଛି ୭୦ ହଜାରରୁ ଅଧିକ ଆବେଦନ । ଲୋକଙ୍କ ନିବେଦନ ପରେ ଆଉ ୧୦ ଦିନ ଆବେଦନ ଅବଧି ବଢେଇଛନ୍ତି ରାଜ୍ୟ ସରକାର । ବର୍ଦ୍ଧିତ ସମୟସୀମାରେ http://bskynabin.Odisha.gov.in କିମ୍ବା ‘ମୋ ସେବା କେନ୍ଦ୍ର’ରେ ପଞ୍ଜିକରଣ କରିପାରିବେ ଆବେଦନକାରୀ I
BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍ପିଟାଲ ଗୁଡିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ଏବେ ସୁଦ୍ଧା ୩୦ ଜିଲ୍ଲାରୁ ବିଏସକେୱାଇ ନବୀନ କାର୍ଡ ପାଇର୍ ୭୦,୪୮୮ ଆବେଦନ ଆସିଛି । ଯେଉଁଥିରେ ୧.୮୨ ଲକ୍ଷ ଲୋକ ଉପକୃତ ହୋଇପାରିବେ । ଗଞ୍ଜାମରୁ ସର୍ବାଧିକ ଆବେଦନ ଆସିଥିବା ବେଳେ ଏହା ପଛକୁ କଟକ ଓ ଖୋର୍ଦ୍ଧା ରହିଛନ୍ତି । ଗଞ୍ଜାମରୁ ବିଏସକେୱାଇ ନବୀନ କାର୍ଡ ପାଇଁ ସର୍ବାଧିକ ୯୫୨୫ଟି ଆବେଦନ ଆସିଛି ।
ଯେଉଁ ହିତାଧିକାରୀ ବିଏସକେଓ୍ବାଇ କାର୍ଡ ପାଇନାହାନ୍ତି ସେମାନେ ନାମ ପଞ୍ଜୀକରଣ କରିପାରିବେ । ସରକାରୀ କର୍ମଚାରୀ, ସରକାରୀ ପେନସନ ଉପଭୋକ୍ତା ଓ କରଦାତାମାନେ ଏଥିଲାଗି ଉପଯୁକ୍ତ ବିବେଚିତ ହେବେ ନାହିଁ । ବର୍ତ୍ତମାନ ବିଏସକେଓ୍ବାଇ ଅନ୍ତର୍ଭୁକ୍ତ ହୋଇ ନଥିବା ବ୍ୟକ୍ତିମାନେ ବିଏସକେଓ୍ବାଇ ନବୀନ କାର୍ଡ ଲାଗି ଯୋଗ୍ୟ ବିବେଚିତ ହେବ ।
Comments are closed.