Latest Odisha News

ଏଣିକି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଡ଼ି ହେବେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧି!

କଟକ: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସାମିଲ ହେବେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିମାନେ। ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଶୁଣାଇଛନ୍ତି ଉଚ୍ଚ ନ୍ୟାୟାଳୟ। ବୁଧବାର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରକଳ୍ପ ଚୟନ ବେଳେ ଲୋକ ପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଇ ପାରିବନାହିଁ। ଏହା ସହ ପ୍ରତି ଗ୍ରାମ ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର । ଏହି ଯୋଜନାରେ ସରପଞ୍ଚ ଓ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଇଛି ବୋଲି ଅଭିଯୋଗ କରି ଏକାଧିକ ଲୋକ ପ୍ରତିନିଧି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଜନ ପ୍ରତିନିଧି ଆଇନ ଏବଂ ପଞ୍ଚାୟତିରାଜ ନିୟମ ଆଧାରରେ ଜନ ପ୍ରତିନିଧିମାନଙ୍କୁ ଉପେକ୍ଷା କରି କୌଣସି ପ୍ରକାରରେ କାର୍ଯ୍ୟ କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ୨୦୨୨ ମସିହା ଜୁଲାଇ ମାସରେ ଏହି ଯୋଜନା ଲାଗୁ କରିଥିଲେ ରାଜ୍ୟ ସରକାର । ବିଡିଓଙ୍କ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରାବଧାନ ରହିଛି । ଯୋଜନା ମୁତାବକ ଗ୍ରାମୀଣ ଓଡ଼ିଶାର ସାଂସ୍କୃତିକ ଭିତ୍ତିଭୂମିର ବିକାଶ କରିବା ସହିତ କିଛି ପାରିପାର୍ଶ୍ଵିକ ବିକାଶ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ । ଏହି ଯୋଜନାରେ ଯଦି ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିମାନେ ସାମିଲ ହୁଅନ୍ତି ତେବେ ବହୁତ ଲୋକ ଏଥିରେ ଉପକୃତ ହେବେ।

୨୦୨୪ ନିର୍ବାଚନକୁ ଆଖିରେ ରଖି ନବୀନ ପଟ୍ଟନାୟକ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଥିବା ଅଭିଯୋଗ ହେଉଛି। ଜନ ପ୍ରତିନିଧିମାନେ ଯୋଡ଼ି ହେଲେ ଏଥର ରାଜନୀତିକ ଉଦ୍ଦେଶ୍ୟ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ଅଛି ବୋଲି ଚର୍ଚ୍ଚା ହେଉଛି।

Comments are closed.