Latest Odisha News

୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ଆଜି ଏକ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜି ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ବିଭିନ୍ନ ପଦବୀରେ ନିଯୁକ୍ତ କରାଯାଇଛି। ଦେଶର ୪୭ଟି ସ୍ଥାନରେ ଏକକାଳୀନ ରୋଜଗାର ମେଳା ଆୟୋଜନ କରାଯାଇଥିଲା ।

ଦେଶବ୍ୟାପୀ ଚୟନ ହୋଇଥିବା ନବ ନିଯୁକ୍ତ କର୍ମଚାରୀମାନେ ରାଜସ୍ୱ ବିଭାଗ, ଆଣବିକ ଶକ୍ତି ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟର ବିଭିନ୍ନ ପଦବୀରେ ଯୋଗ ଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଲଗାତାର ଭାବେ ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯାଉଛି । ପୂର୍ବରୁ ବିଜ୍ଞାପନ ପ୍ରକାଶରୁ  ଆରମ୍ଭ କରି ନିଯୁକ୍ତି ପତ୍ର ପ୍ରଦାନ ପର୍ଯ୍ୟନ୍ତ ବହୁତ ସମୟ ଲାଗୁଥିଲା । ଏହି ବିଳମ୍ବର ସୁଯୋଗ ନେଇ ଲାଞ୍ଚ କାରବାର ମଧ୍ୟ ହେଉଥିଲା। ବର୍ତ୍ତମାନ ଏହି ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ବଚ୍ଛ କରାଯାଇଛି ।

ନିଯୁକ୍ତିକୁ ଠିକ ସମୟରେ ଶେଷ କରିବା ପାଇଁ ସରକାର କିପରି କାର୍ଯ୍ୟ କରୁଛନ୍ତି ତାହା ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଆମ ସରକାରଙ୍କର ଗୁରୁତ୍ୱ ରହିଛି ନିଯୁକ୍ତି ପ୍ରକ୍ରିୟା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା ଉଚିତ। ଏହା ସହିତ ପ୍ରତ୍ୟେକ ଯୁବବର୍ଗ ନିଜର ଦକ୍ଷତା ପ୍ରମାଣ କରିବାକୁ ସମାନ ସୁଯୋଗ ପାଇବା ଆରମ୍ଭ କରିଛନ୍ତି। ଏହି ରୋଜଗାର ମେଳା ଜରିଆରେ ଭାରତୀୟ ରେଳବିଭାଗରେ ମଧ୍ୟ ନିଯୁକ୍ତି ମିଳୁଛି । ଭାରତୀୟ ରେଳ ବିଭାଗର ଏବେ ନବକଳେବର ହେବାକୁ ଯାଉଛି । ସେହିଭଳି ଭାରତ ଏବେ ତୃତୀୟ ବୃହତ ଷ୍ଟାର୍ଟଅପ ଅର୍ଥନୀତି ଭାବେ ଉଭା ହେଲାଣି । ଛୋଟ ଛୋଟ ସହରରେ ଷ୍ଟାର୍ଟଅପ୍ ଆରମ୍ଭ କରୁଛନ୍ତି ଯୁବବର୍ଗ । ଏହି ଷ୍ଟାର୍ଟଅପରେ ମଧ୍ୟ ଅନେକ ଯୁବକଙ୍କୁ ନିଯୁକ୍ତି ମିଳିପାରୁଛି ।

ସେପଟେ ଭୁବନେଶ୍ୱରରେ ଅନୁଷ୍ଠିତ ରାଷ୍ଟ୍ରୀୟ ରୋଜଗାର ମେଳାରେ ନିଯୁକ୍ତି ପତ୍ର ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୩ଶହ ନବ ନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ଯୁବବର୍ଗଙ୍କୁ ନିଯୁକ୍ତି ଦେବାପୁ ପ୍ରାଥମିକତା ଦେଇ ପ୍ରଧାନମନ୍ତ୍ରୀ ଏହି ରୋଜଗାର ମେଳାର ଆୟୋଜନ କରିଛନ୍ତି । ଗତବର୍ଷ ନଭେମ୍ବର ମାସରେ ୧୧ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୩୭ଟି ସ୍ଥାନରେ ରୋଜଗାର ମେଳା ଆୟୋଜିତ ହୋଇଥିବା ବେଳେ ପ୍ରାୟ ୫୧ ହଜାର ୧୫୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ।

Comments are closed.