Latest Odisha News

BREAKING NEWS

ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକଙ୍କ ଧର୍ମଘଟ ପ୍ରତ୍ୟାହାର, ମାଟ୍ରିକ୍ ପରୀକ୍ଷାରେ ସହଯୋଗ କରିବାକୁ ରାଜି

ଭୁବନେଶ୍ୱର: ଦୀର୍ଘ ୧୩ ଦିନ ଧରି ଆନ୍ଦୋଳନ କରି ଆସୁଥିବା ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନେ ଧର୍ମଘଟ ପ୍ରତ୍ୟାହାର କରି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ)କୁ ମଙ୍ଗଳବାରଠାରୁ ବାର୍ଷିକ ମାଟ୍ରିକ୍ ପରୀକ୍ଷା କରାଇବାରେ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ସରକାରୀ ଅଧିକାରୀଙ୍କ ସହ ଫଳପ୍ରଦ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର ସମ୍ପାଦକ ରଞ୍ଜନ କୁମାର ଦାସ କହିଛନ୍ତି ଯେ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ, ୨୨୬ ଓ ୩୯୯ ଜଣ ସ୍କୁଲ ଶିକ୍ଷକଙ୍କ ଦରମା ବ୍ୟବସ୍ଥା, ଗ୍ରେଡ୍ ପେରେ ଥିବା ଅସଙ୍ଗତି ଦୂର କରିବା, ଶିକ୍ଷକଙ୍କ ଅବସର ବୟସ ୬୨ ବର୍ଷକୁ ବୃଦ୍ଧି, ଅଣ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକଙ୍କୁ ପେନସନ୍ ଆଦି ୨୧ ଦଫା ଦାବି ପୂରଣ କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି।

ମଙ୍ଗଳବାରଠାରୁ ଆରମ୍ଭ ହୋଇ ରାଜ୍ୟର ୩୦୪୭ଟି କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ପରିଚାଳନାରେ ଶିକ୍ଷକମାନେ ବିଏସ୍ଇକୁ ସହଯୋଗ କରିବାକୁ ରାଜି ହୋଇଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି। ଏହି ପରୀକ୍ଷା ପାଇଁ ୫ ଲକ୍ଷ ୫୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି। ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଦୁର୍ଗମ ଅଂଚଳରେ ୨୧ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଛି ।

ତେବେ ସରକାର ସେମାନଙ୍କ ଦାବି ନେଇ ବିଜ୍ଞପ୍ତି ପ୍ରକାଶ ନ କରିବା ପର୍ଯ୍ୟନ୍ତ ଶିକ୍ଷକମାନେ ଭୁବନେଶ୍ୱରରେ ଧାରଣା ଜାରି ରଖିବେ ବୋଲି ଶ୍ରୀ ଦାସ କହିଛନ୍ତି। ଯଦି ସରକାର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୁଅନ୍ତି ତେବେ ରାଜ୍ୟର ସମସ୍ତ ଜିଲ୍ଲାରେ ଶିକ୍ଷକମାନେ ଆନ୍ଦୋଳନ ଆରମ୍ଭ କରିବେ ବୋଲି ସେ କହିଛନ୍ତି।

Comments are closed.