Latest Odisha News

BREAKING NEWS

ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ ପାଇବେ ଅର୍ଥନୀତିରେ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ଆମେରିକାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ତଥା ବିଶିଷ୍ଟ ଅଥନୀତିଜ୍ଞ ଅଭିଜିତ ବାନାର୍ଜୀ ଅର୍ଥନୀତି ଲାଗି ଚଳିତ ବର୍ଷର ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ନ୍ୟୁୟର୍କଠାରେ ୨୦୧୯ ବର୍ଷ ଲାଗି ଅର୍ଥନୀତିରେ ଯେଉଁ ୩ ଜଣ ବ୍ୟକ୍ତି ନୋବେଲ୍ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ହେଲେ ଅଭିଜିତ ବାନାର୍ଜୀ, ଏଷ୍ଠର୍ ଡ଼ଫଲୋ ଏବଂ ମାଇକେଲ୍ କ୍ରେମର୍ । ଏହି ଘୋଷଣା ସୋମବାର ଦିନ ଘୋଷଣା କରାଯାଇଛି ।

ସମଗ୍ର ବିଶ୍ୱରୁ ଦାରିଦ୍ର‌୍ୟ ଦୂରିକରଣ ଲାଗି ଏହି ୩ ଜଣ ଅର୍ଥଶାସ୍ତ୍ରୀଙ୍କ ଅତୁଳନୀୟ ସନ୍ଦର୍ଭ ତଥା ଅର୍ଥନୀତିରେ ଅବଦାନ ଲାଗି ନୋବେଲ୍ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ବିଶ୍ୱସ୍ତରରେ ଅର୍ଥନୈତିକ ବିକାଶ ତଥା ଦାରିଦ୍ର‌୍ୟ ଦୂରିକରଣ ଲାଗି ଏହି ତିନିଜଣ ଅର୍ଥ ବିଶାରଦଙ୍କ ଅବଦାନ ପ୍ରକୃତରେ ଅତ୍ୟନ୍ତ ପ୍ରଶଂସନୀୟ । ଏହି ଜଣାଶୁଣା ଅଥନୀତି ଗବେଷକମାନଙ୍କ ମୂଲ୍ୟବାନ ପରାମର୍ଶକୁ ନେଇ ଏବେ ଗବେଷଣା ଜାରି ରହିଛି, ଯାହାଦ୍ୱାରା କି ବିଶ୍ୱରୁ ଦାରିଦ୍ର‌୍ୟ ଦୂରିକରଣ ହୋଇପାରିବ ବୋଲି ନୋବେଲ୍ କମିଟି ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

ବର୍ତ୍ତମାନ ଆମେରିକାରେ ସ୍ଥାୟୀ ବାସିନ୍ଦା ଭାବେ ବସବାସ କରୁଥିବା ବିଶ୍ୱର ଅନ୍ୟତମ ବିଶିଷ୍ଟ ଅର୍ଥଶାସ୍ତ୍ରୀ ୫୮ ବର୍ଷ ବୟସ୍କ ଶ୍ରୀ ବାନାର୍ଜୀ କଲିକତା ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀର ଜୱାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେ ୧୯୮୮ରେ ହାଭାର୍ଡ଼ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଛନ୍ତି ।

ଅଧୁନା ଶ୍ରୀ ବାନାର୍ଜୀ ଆମେରିକାର ‘ମାସାଚ୍ୟୁଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି’ରେ ଫର୍ଡ଼ ଫାଇଣ୍ଡେସନ ଇଣ୍ଟରନ୍ୟାସନାଲ୍ ପ୍ରଫେସର ଅଫ ଇକୋନୋମିକ୍ସ ଭାବେ କାର୍ଯ୍ୟରତ ।

Leave A Reply

Your email address will not be published.