ପାଟଣାଗଡ଼: ପୁଲିସ ପିଛା କରିବାରୁ ଭାରସାମ୍ୟ ହରାଇ ଦୋକାନରେ ପିଟିହେଲା ଗଞ୍ଜେଇ ଭର୍ତ୍ତି ବୋଲେରୋ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସ୍ଥିତ ଲାଠୋର ଥାନା ଅନ୍ତର୍ଗତ ଚଚରାଭଟା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଖପ୍ରାଖୋଲରୁ ରେଙ୍ଗାଲି ରାସ୍ତା ଦେଇ ଯାଉଥିବା ନେଇ ପୁଲିସ ସୂଚନା ପାଇଥିଲା । ଏନେଇ ଆଜି ଭୋରରୁ ପୁଲିସ୍ ରେଙ୍ଗାଲି ରାସ୍ତାରେ ଜଗି ରହିଥିଲା । ହେଲେ ଗଞ୍ଜେଇ ମାଫିଆମାନେ ପୁଲିସକୁ ଦେଖି ଗାଡି ଦ୍ରୁତ ଗତିରେ ଚଳାଇ ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନରେ ପିଟି ହୋଇଯାଇଥିଲା । ଏହାପରେ ଗଞ୍ଜେଇ ମାଫିଆମାନେ ବୋଲେରୋରୁ ଖସି ପଳାଇଥିଲେ। ଗାଡି ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପୁଲିସ୍ ଗାଡି ଭିତରୁ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି । ଯାହାର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଛତିଶଗଡ଼କୁ ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡ଼ିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed.