Latest Odisha News

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ଜଣେ ନାବାଳିକାକୁ ସେ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ତାଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟ ଏବଂ ଆଇପିସି ଧାରା ୩୫୪ (ଏ) ରେ ଆଇନ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଜଣେ ୧୭ ବର୍ଷୀୟ ନାବାଳିକାର ମାଆ ୟେଦୁରପ୍ପାଙ୍କ ବିରୁଦ୍ଧରେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ୟେଦୁରପ୍ପା ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଇଥିବା ନେଇ ଗତକାଲି ସନ୍ଧ୍ୟାରେ ସେ ବେଙ୍ଗାଲୁରୁର ସଦାଶିବନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ବିଳମ୍ବିତ ରାତିରେ ମାମଲା ରୁଜୁ କରିଥିଲା ପୋଲିସ ।

ପୀଡିତାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ଫେବୃଆରୀ ୨ ତାରିଖରେ ଏକ ଠକେଇ ମାମଲାରେ ପୀଡିତା ଓ ତାଙ୍କ ମାଆ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡ଼ିବାକୁ ଯାଇଥିଲେ । ସେହିସମୟରେ ନାବାଳିକା ଜଣଙ୍କ ଯୌନ ନିର୍ଯାତନାର ଶିକାର ହୋଇଥିଲେ ।

ଅନ୍ୟପଟେ, ଏହି ଅଭିଯୋଗ ସମ୍ପର୍କରେ ସଦାଶିବନଗର ଥାନା ଅଧିକାରୀ କହିଛନ୍ତି ଯେ, ‘ଆମେ ମାମଲା ରୁଜୁ କରିଛୁ । ଏପରି ଅଭିଯୋଗ ସତ କି ନାହିଁ ତାହାର ତଦନ୍ତ କରୁଛୁ । ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ୟେଦୁରପ୍ପା ୨୦୦୮ ରୁ ୨୦୧୧ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ମେ’ ୨୦୧୮ରେ ସ୍ୱଳ୍ପ ସମୟ ପାଇଁ କ୍ଷମତାକୁ ଆସିଥିଲେ । ଏହାପରେ ପୁନର୍ବାର ଜୁଲାଇ ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଦାୟିତ୍ତ୍ବ ତୁଲାଇଥିଲେ।

Comments are closed.