କୁଞ୍ଜବିହାରୀ ସାହୁ
ଖରାବେଳଟାରେ ଝଡ଼ ତୋଫାନଟି
ଆସିଗଲା,
କାଠି-କୁଟା, ଡାଳ-ପତରକୁ ବେଗି
ଉଡ଼େଇଲା ।
ଘଡ଼ଘଡ଼ି ଆଉ ବିଜୁଳି ମାରିଲା
ସାଥୀ ହୋଇ,
ଘର ଭିତରକୁ ପଶି ଆସିବେକି
ପାଦ ଥୋଇ ।
ବିଜୁଳି ଆଲୁଅ ଲିଭିଗଲା ବେଗି
ଖରାବେଳେ,
ଘର ଭିତରଟା ଗରମ ଲାଗିଲା
ସେତେବେଳେ ।
ଗଛ ଭାଙ୍ଗିଗଲା, ଚାଳ ଉଡ଼ିଗଲା
ପବନରେ,
ବରକୋଳି ପରି ବରଷା ପଡ଼ିଲା
ଭୂଇଁପରେ ।
ବୁଲା କୁକୁର ଓ ଗାଈବାଛୁରୀ ଯେ
ରଡ଼ିକଲେ,
ଡରିଯାଇ କାହା ଭଙ୍ଗା ଘରଟାରେ
ରହିଗଲେ ।
କୁଲି ମଜୁରିଆ ଡରି ଡରି କାମ
କଲେନାହିଁ,
କାନ୍ଦୁଥିଲେ ବସି ଘରକଥା ଭାଳି
ମୁହଁ ଚାହିଁ ।
ପାନ-ଜଳଖିଆ ଦୋକାନର ଛାତ
ଭାଙ୍ଗିଗଲା,
କେମିତି କରିବ ନିଜ ବ୍ୟବସାୟ
ଭାବୁଥିଲା ।
କିଛି କ୍ଷଣ ପରେ ବରଷା-ପବନ
ଗଲା ଦୂରେ,
ଗରିବ ଲୋକଟି ହଇରାଣ ହୋଇ
ଏକା ଝୁରେ ।
ଫଗୁଣରେ ଖରା ସହିହେଉନାହିଁ
ଖରାବେଳେ,
ବାହାରକୁ ଥରେ ଯାଇହେଉନାହିଁ
ବେଳେବେଳେ ।
ଏମିତି ବେଳରେ ଅଦିନିଆ ଝଡ଼
ସାଧେ ଦାଉ,
ପ୍ରକୃତି ଆମର ବଇରୀ ହେଲାଣି
ଚାହୁଁଚାହୁଁ ।
ସେଥିପାଇଁ ପରା ମଣିଷ ଦାୟୀ ଯେ
ହୋଇ ରୋଷ,
ଗଛ କାଟିଦେଲା ନିଜ ଘର ପାଇଁ
ଦେଇ ଦୋଷ ।
Comments are closed.