ଭୁବନେଶ୍ୱର: ଗଣତନ୍ତ୍ର ପାଇଁ ପ୍ରତିଟି ଭୋଟ ମୂଲ୍ୟବାନ । ଯେପରି ମତଦାନରୁ ଜଣେ ବି ମତଦାତା ବାଦ ନପଡ଼ନ୍ତି, ସେଥିପ୍ରତି ସର୍ବଥା ଚେଷ୍ଟିତ ରହିଛନ୍ତି ଭାରତ ନିର୍ବାଚନ କମିଶନ । ସେହି କ୍ରମରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଡ୍ରାଇଭର, କଣ୍ଡକ୍ଟର ଓ କି୍ଲନର ମାନଙ୍କୁ ମଧ୍ୟ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ଦିଆଯାଇଛି।
ଓଡ଼ିଶାରେ ମତଦାନ ଦିନ ଯେଉଁ ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବେ ସେମାନେ ଯେପରି ଉଚିତ ଭାବରେ ମତଦାନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଜଣେ ନୋଡ଼ାଲ ଅଧିକାରୀଙ୍କୁ ମନୋନୀତ କରିବେ, ଯାହାଙ୍କ ଦ୍ୱାରା ନିର୍ବାଚନ ପ୍ରକ୍ରିୟା ପାଇଁ ବ୍ୟବହୃତ ଗାଡ଼ି ଅଧିଗ୍ରହଣ କରାଯିବ । ଯେଉଁ ଡ୍ରାଇଭର, କଣ୍ଡକଫର ଓ କ୍ଲିନରମାନେ ଏହି ଗାଡ଼ିରେ ନିୟୋଜିତ ଥିବେ ତାଙ୍କର ମତଦାନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ନୋଡ଼ାଲ ଅଧିକାରୀଙ୍କ ଦ୍ୱାରା ନିଶ୍ଚିତ କରାଯିବ ଓ ସେମାନଙ୍କୁ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ ପାଇଁ ଫର୍ମ-୧୨ ଯୋଗାଇ ଦିଆଯିବ । ଏହି ଫର୍ମ-୧୨ରେ ଉକ୍ତ ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରଙ୍କ ମତଦାନ ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟ ଉଚିତ ରୂପେ ପୂରଣ ହୋଇଥିବା ନିଶ୍ଚିତ କରି ନୋଡ଼ାଲ ଅଧିକାରୀ ସେମାନଙ୍କ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ଅତି କମ୍ରେ ମତଦାନ ତାରିଖର ୭ ଦିନ (ସାତଦିନ) ପୂର୍ବରୁ ପଠାଇବେ।
ଏହା ଦ୍ୱାରା ଉକ୍ତ ମତଦାତାମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇ ପାରିବ । ନିର୍ବାଚନ ପରିଚାଳନା ଅଧିନିୟମ-୧୯୬୧ରେ ନୂତନ ଭାବେ ଯୋଡ଼ା ଯାଇଥିବା ନିୟମ ୧୮(କ) ଅନୁସାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଭୋଟରମାନେ କେବଳ ‘ଫେସିଲିଟେସନ୍ ସେଣ୍ଟର’ରେ ହିଁ ନିଜ ନିଜର ମତଦାନ କରିବେ । ଏଣୁ ଏହି ଡ୍ରାଇଭର, କଣ୍ଡକଫର, କ୍ଲିନର୍ମାନେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସ୍ଥିରୀକୃତ ସ୍ଥାନ ଓ ସମୟ ଅବଧି ମଧ୍ୟରେ ଫେସିଲିଟେସନ୍ ସେଣ୍ଟରରେ ମତଦାନ କରିବେ । ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଥିବା ଏହି ବ୍ୟବସ୍ଥା ଯେପରି ଓଡ଼ିଶାରେ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହୋଇପାରିବ ସେଥିପାଇଁ ସମସ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ କମିଶନ ଓ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.