ଖୋର୍ଦ୍ଧା: ବିଦ୍ୟାଳୟ ପରିସରରେ ବିପଦଶଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ଏକ ଗଛର ଡ଼ାଳ ପଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଗୁରୁବାର ଅପରାହ୍ନରେ ଏଭଳି ଏକ ଅଘଟଣ ଘଟିଯାଇଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା କ୍ଷେତ୍ରବାସୀ ନୋଡ଼ାଲ ହାଇସ୍କୁଲରେ । ମୃତ ଛାତ୍ରଙ୍କ ନାମ ରୀତେଶ ପ୍ରଧାନ । ସେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ଖେଳ ଛୁଟି ସମୟରେ ରୀତେଶ ନିଜର ଅନ୍ୟ କିଛି ସାଙ୍ଗଙ୍କ ସହିତ ବିଦ୍ୟାଳୟ ପରିସରରେ ଖେଳୁଥିବା ସମୟରେ ବିପଦଶଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ଏହି ଶୁଖିଲା ଡ଼ାଳଟି ହଠାତ୍ ଭାଙ୍ଗି ତାଙ୍କ ଉପରେ ପଡିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ ।
ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ନିରାକାରପୁର ଓ ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ ବିଦ୍ୟାଳୟକୁ ଘେରାଉ କରିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ପରିସରରେ ଅଟକ ରଖି ହୋ ହାଲ୍ଲା କରିବା ଫଳରେ ସେଠାରେ ଏକ ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଖବର ପାଇ ଟାଙ୍ଗି ତହସିଲଦାର, ଅତିରିକ୍ତ ଜିଲ୍ଲାପାଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ କରିଥିଲେ ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଗଛଟି ଫନି ବାତ୍ୟା ସମୟରୁ ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲା । ଅଭିଭାବକଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଧ୍ୟାନ ଦେଇ ନଥିଲେ । ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଦୟନାଥ ତ୍ରିପାଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି ।
Comments are closed.