ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ତିଥି ଓ ବାର ମନେ ରଖି
ଯେ ପାରେ ଗଦ୍ୟ, ପଦ୍ୟ ଲେଖି
ତାହାର ଲେଖକୀୟ ମତି
କେବେ ବି କରେନି ଉନ୍ନତି
ମୁଖ୍ୟତଃ ପାଠୋଦ୍ଧାର କରି
ପୁନର୍ଲିଖନ କାର୍ଯ ସାରି
ବୋଲାଏ ନିଜକୁ ଲେଖକ
ଦୁର୍ଲଭ ହୁଅଂତି ପାଠକ
ପର୍ବ, ପର୍ବାଣି, ଯାତ୍ରା, ମେଳା
ଉତ୍ସବ, ଆୟୋଜନ ହେଲା
ସେ ଗୁଂଥିଥାଏ ଶବ୍ଦମାଳା
ନ ଥାଏ ରୁଚି କି ଶୃଂଖଳା
ଏପରି ଅସଂଖ୍ୟ ଲେଖକ
ବୋଲାଂତି ସାହିତ୍ଯ ସେବକ
ସଂପାଦକ ଓ ପ୍ରକାଶକ
ହୁଅଂତି ତାଂକର ଗ୍ରାହକ
ଛପା ଅକ୍ଷରେ ନାମ ଦେଖି
ଯେ ହୋଇଥାଏ ଆପେ ସୁଖୀ
ତା ସାରସ୍ବତ ଅବଦାନ
ପ୍ରାୟତଃ ହୋଇଥାଏ ଶୂନ୍ଯ
କେବଳ ଅର୍ଥ ଉପାର୍ଜନ
ନିମଂତେ ଯେ କରେ ଲିଖନ
ତା’ର ଲେଖାର ମୂଲ୍ୟାୟନ
ଆଡ଼କୁ ଯାଏନାହିଁ ମନ
ନିଜେ ନ କରି ସଂଶୋଧନ
ବଂଟନ କରେ ପୃଷ୍ଠାମାନ
ଦେଖେନି ପାଠକ ନୟନ
ତେବେ ବି ସେ ଲୋଡ଼େ ସମ୍ମାନ
ଏପରି ଅନେକ ଲେଖକ
ହୁଅଂତି ଯେବେ ବାବଦୂକ
ରହେନି ପୁସ୍ତକର ଟେକ
ବୁଝଂତୁ ଏବେ ସମୀକ୍ଷକ
ଉତ୍ସବ ନାମରେ ବେପାର
ଏଠାରେ ଚଳେ ନିରଂତର
ପୂର୍ବରଚିତ ସ୍ତବ ପାଠ
ଶୁଭିଲେ ବସେ ବଡ଼ ହାଟ
ଘାସ, ପତ୍ର ବି ହୁଏ ବିକା
ଧର୍ମର ଧ୍ବଜା ହୁଏ ଟେକା
ଆମର ଏହି ପରଂପରା
ଗଢ଼ିଛି ଯେଉଁ ଦିବ୍ୟ କାରା
ତହିଁରେ ହୋଇ ଲୋକେ ବଂଦି
ଜିଅଂତି ନିତି କାଂଦି, କାଂଦି
କରିହେଉନି ଅନୁମାନ
କେବେ ଘଟିବ ଅବସାନ
ଇତିହାସର ବୋଝ ବୋହି
ଆମେ ଏଠାରେ ଥାଉଁ ରହି
କାହାକୁ ହୁଏନାହିଁ କହି
ଏଠି କାହାର କାନ ନାହିଁ
Comments are closed.