Latest Odisha News

BREAKING NEWS

ଗୁରୁଦାସପୁରରୁ ‘ଗଦ୍ଦର ହିରୋ’ଙ୍କ ଟିକେଟ୍ କାଟି କାହାକୁ ପ୍ରାର୍ଥୀ କଲା ବିଜେପି?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ନିଜର ଅଷ୍ଟମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଅମୃତସର ଆସନ ପାଇଁ ଦଳ ପୂର୍ବତନ କୂଟନୀତିଜ୍ଞ ତରଣଜିତ୍ ସାନ୍ଧୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ଗୁରୁଦାସପୁରରେ ବରିଷ୍ଠ ଅଭିନେତା ତଥା ବର୍ତ୍ତମାନର ସାଂସଦ ସନ୍ନି ଦେଓଲଙ୍କ ସ୍ଥାନରେ ଦୀନେଶ ସିଂହଙ୍କୁ ଟିକେଟ୍ ଦେଇଛି ଦଳ। ପଞ୍ଜାବର ୧୩ଟି ଲୋକସଭା ଆସନ ମଧ୍ୟରୁ ୬ଟି ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି।

ଉତ୍ତର-ପଶ୍ଚିମ ଦିଲ୍ଲୀର ବର୍ତ୍ତମାନର ବିଜେପି ସାଂସଦ ହଂସରାଜ ହଂସଙ୍କୁ ପଞ୍ଜାବ ସ୍ଥାନାନ୍ତର କରାଯାଇଛି ଏବଂ ଫରିଦକୋଟ୍ ସଂସଦୀୟ ଆସନରୁ ସେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

କଂଗ୍ରେସର ପୂର୍ବତନ ହେଭିୱେଟ୍ ପରଣୀତି କୌର ଓ ରବନୀତ ସିଂହ ବିଟ୍ଟୁଙ୍କୁ ବିଜେପି ପ୍ରାର୍ଥୀ ତାଲିକାରେ ସାମିଲ କରାଯାଇଛି। କୌର ତାଙ୍କ ଗଡ଼ ପଟିଆଲାରୁ ନିର୍ବାଚନ ଲଢ଼ିବେ ଏବଂ ବିଟ୍ଟୁ ଲୁଧିଆନାରୁ ନିର୍ବାଚନ ଲଢ଼ିବେ ବୋଲି।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପତ୍ନୀ ପରଣୀତ କୌର ନିକଟରେ ବିଜେପିରେ ଯୋଗ ଦେଇଥିଲେ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ନାତି ତଥା ତିନି ଥର ସାଂସଦ ହୋଇଥିବା ବିଟ୍ଟୁ ଅନ୍ୟତମ ଚର୍ଚ୍ଚିତ ରାଜନେତା।

ନିକଟରେ ବିଜେପିରେ ଯୋଗ ଦେଇଥିବା ଆମ୍ ଆଦମୀ ପାର୍ଟି (ଆପ୍)ର ପୂର୍ବତନ ନେତା ସୁଶୀଲ କୁମାର ରିଙ୍କୁ ଜଳନ୍ଧରରୁ ନିର୍ବାଚନ ଲଢ଼ିବେ। ମାର୍ଚ୍ଚ ୨୮ ରେ ରିଙ୍କୁ ଆପ୍ ବିଧାୟକ ଶୀତଲ ଅଙ୍ଗୁରାଲଙ୍କ ସହ ବିଜେପିରେ ଯୋଗ ଦେଇଥିଲେ।

ପଶ୍ଚିମବଙ୍ଗରେ ବିଜେପି ଝାରଗ୍ରାମ (ଏସଟି) ଆସନ ପାଇଁ ପ୍ରଣତ ଟୁଡୁ ଏବଂ ବୀରଭୂମ ପାଇଁ ଦେବାଶିଷ ଧରଙ୍କୁ ପ୍ରାର୍ଥୀ କରିଛି। ସେହିପରି ଓଡ଼ିଶାର ଅବଶିଷ୍ଟ ତିନି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବର୍ତ୍ତମାନ ସୁଦ୍ଧା ଶାସକ ଦଳ ୪୧୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ଏପ୍ରିଲ ୧୯ରୁ ଜୁନ୍ ପହିଲା ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଜୁନ୍ ୨ତାରିଖରେ ଫଳାଫଳ ପ୍ରକାଶ ପାଇବ।

Comments are closed.