Latest Odisha News

ଘୁମୁସର ବନଖଣ୍ଡ ଚନ୍ଦ୍ରଗିରି ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଚନ୍ଦ୍ରଗିରି ଜଙ୍ଗଲରେ ଅସୁସ୍ଥ ଥିବା ଦନ୍ତା ହାତୀର ମୃତ୍ୟୁ ଘଟିଛି। ଆଜି ସକାଳ ସମୟରେ ଦନ୍ତାଟି ଅସୁସ୍ଥ ଅବସ୍ଥାରେ ଦୀର୍ଘ ସମୟ ଧରି କରଡାବଣି ଓ ବେରୁଆବାଡ଼ି ମଧ୍ୟରେ ଥିବା ଘାଇ ନିକଟରେ ଠିଆ ହୋଇଥିଲା। ଏହା ପରେ ବନ କର୍ମଚାରୀ ମାନେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଥିଲେ । ତେବେ ହାତୀଟି ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଜଣାପଡିଥିଲା।

କିଛି ସମୟ ପରେ ହାତୀଟି ନିକଟସ୍ଥ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲକୁ ଚାଲିଯାଇଥିଲା। ପରେ ପରେ ଜଙ୍ଗଲ ଭିତରେ ହାତୀଟିର ମୃତ୍ୟୁ ଘଟିଲା। ଅସୁସ୍ଥତା କାରଣରୁ ହାତୀଟିର ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆସନ୍ତାକାଲି ମୃତ ହାତୀର ବ୍ୟବଚ୍ଛେଦ କରାଯିବ ବୋଲି ବନଖଣ୍ଡ ଅଧିକରୀ ସୂଚନା ଦେଇଛନ୍ତି।

ତେବେ ଗ୍ରାମବାସୀ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳର ରେଞ୍ଜଙ୍କ ଅବସରକାଳୀନ କାଯ୍ୟକ୍ରମରେ ଅଧିକାରୀମାନେ ବ୍ୟସ୍ତ ଥିବାରୁ ଅସୁସ୍ଥ ଦନ୍ତା ପ୍ରତି ବିଭାଗ ପକ୍ଷରୁ ଜରୁରୀକାଳୀନ ଭିତ୍ତିରେ ଚିକିତ୍ସା ସେବା ଯୋଗାଇ ଦିଆଯାଇନଥିଲା। ଦନ୍ତା ଦୀର୍ଘ ସମୟ ଧରି ଘାଇ ନିକଟରେ ଛିଡ଼ା ହୋଇ ରହିଥିଲା। ପଶୁମାନଙ୍କୁ ଚିକିତ୍ସା ସହାୟତା ଯୋଗାଇବା ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବା ସ୍ଥାନୀୟ ଲୋକ ଦାବି କରିଛନ୍ତି।

Comments are closed.