Latest Odisha News

କଂଗ୍ରେସ ଟିକେଟ୍ : ବିଳମ୍ବ କାହିଁକି ?

ଭୁବନେଶ୍ୱର: ଚବିଶ ମଇଦାନରେ ନିର୍ବାଚନୀ ତାତି । ପ୍ରାର୍ଥୀ ଓହ୍ଲାଇଲେଣି ବିଜେଡି, ବିଜେପି । କଂଗ୍ରେସର ସରିନି କି ଅଙ୍କକଷା ? କାହିଁକି ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ? କେଉଁଠି ଛିଣ୍ଡୁନି ଟିକେଟ ଗଣିତ ? ପ୍ରାର୍ଥୀଙ୍କୁ ନେଇ ରହିଛି କି କନଫ୍ୟୁଜନ ? କାହିଁକି ପଛରେ ପଡିଛି ହାତ ? ନିର୍ବାଚନୀ ପାଣିପାଗ ବୁଝିବାରେ ବିଳମ୍ବ ହେଉଛି କି ?

ବାଜିଲାଣି ଚବିଶ ନିର୍ବାଚନ ବିଗୁଲ । ମଇଦାନକୁ ଓହ୍ଲାଇଲେଣି ଯୋଦ୍ଧା । ସଭା ସମିତିରେ କମ୍ପିଲାଣି ଗାଁର ଗଳିକନ୍ଦି । ହେଲେ ଏଯାଏଁ ପ୍ରାର୍ଥୀ ନିଷ୍ପତି ନେଇପାରିନି ରାଜ୍ୟ କଂଗ୍ରେସ । ବିଜେପି ଲୋକସଭାରେ ହେଭିୱେଟ୍ ନେତାଙ୍କୁ ଟିକେଟ୍ ଦେଇଛି ତ କାଉଣ୍ଟର ରଣନୀତି କରିଛି ବିଜେଡିା ହେଲେ ଏଯାଏଁ ମଇଦାନକୁ ହିଁ ଓହ୍ଲାଇନାହାନ୍ତି କଂଗ୍ରେସ ସିପାହୀ ।

ଘୁଂଚି ଘୁଂଚି ଯାଉଛି ପ୍ରାର୍ଥୀ ଘୋଷଣା ପଦ୍ମ
ବୈଠକ ପରେ ବୈଠକ ବସୁଛି, ହେଲେ ଫାଇନାଲ୍ ହେଇପାରୁନି କଂଗ୍ରେସ ପ୍ରାର୍ଥୀ ତାଲିକା । କେଉଁଠି ରହୁଛି ଦ୍ୱନ୍ଦ୍ୱ ? ବିଜେଡି, ବିଜେପି ନେତାଙ୍କ ଫେସଭାଲ୍ୟୁକୁ ମ୍ୟାଚ କଲା ଭଳି ନେତା କଂଗ୍ରେସରେ ନଥିବା ଚର୍ଚ୍ଚା ହେଉଛି । ବିଧାୟକ ପ୍ରାର୍ଥୀଙ୍କ ସହାୟତାରେ ଲୋକସଭା ବୈତରଣୀ ପାର ହେବାକୁ ରହିଛି ପ୍ଲାନ୍ । କଂଗ୍ରେସ ସାବଧାନତାର ସହ ଟିକେଟ୍ ଗଣିତ କଷୁଥିବା ଚର୍ଚ୍ଚା ହେଉଛି ।

ଅସନ୍ତୁଷ୍ଟ ନେତାଙ୍କ ଉପରେ ନଜର !
ବିଜେଡି, ବିଜେପିର ଅସନ୍ତୁଷ୍ଟ ନେତାଙ୍କ ଉପରେ ରହିଛି କି କଂଗ୍ରେସର ନଜର ? ଉଭୟ ଦଳର ଟିକେଟ୍ ଘୋଷଣା ପରେ ଅସନ୍ତୁଷ୍ଟଙ୍କୁ ଆମଦାନୀ କରି ପ୍ରାର୍ଥୀ କରିବାକୁ କଂଗ୍ରେସ ପ୍ଲାନ୍ କରୁଥିବା କୁହାଯାଉଛି । ପ୍ରଥମେ ଦୁଇ ଦଳ ମଧ୍ୟରେ ମେଂଟ ହେଲେ ଅନେକ ବିଦ୍ରୋହୀଙ୍କୁ ନେଇ ଟିକେଟ୍ ଦେବାକୁ ଚିନ୍ତା କରିଥିଲା କଂଗ୍ରେସ । ହେଲେ ମେଂଟ ଚର୍ଚ୍ଚା ଫସର ଫାଟିବା ପରେ କଂଗ୍ରେସ ଅଙ୍କକଷା, ବିଜେଡି ଓ ବିଜେପି ତାଲିକାକୁ ନେଇ ଅଟକିଥିବା କୁହାଯାଉଛି ।

କଂଗ୍ରେସ ଭିତରେ ଅନେକ କେଁ
ରାଜ୍ୟ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ରାଜ୍ୟରେ ମୁଖ୍ୟ ବିରୋଧୀରୁ ତିନି ନମ୍ବର ଦଳ ହୋଇଛି କଂଗ୍ରେସ । ସଂଖ୍ୟା ଏକ ଅଙ୍କରେ ପହଂଚିଛି । ଦଳ ମଧ୍ୟରେ କନ୍ଦଳ ଓ ଦୁର୍ବଳ ସାଂଗଠନିକ ସ୍ଥିତି ପାଇଁ ଦଳର ଗ୍ରାଫ ରାଜ୍ୟରେ ଖସିବାରେ ଲାଗିଛି । ଏକଜୁଟ୍ ହୋଇ ଲଢିବା ବଦଳରେ ଦଳ ଭିତରେ ଗୋଡ ଟଣାଟଣି ରାଜନୀତି ବଢୁଛି । ତେଣୁ ଟିକେଟ୍ ଦେବାରେ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି ।

ଦୁର୍ବଳ ହେଲାଣି ହାତମୁଠା
ନିର୍ବାଚନ ସମୟରେ ହିଁ କଂଗ୍ରେସ ଛାଡି ଅନେକ ନେତା ଅନ୍ୟ ଦଳକୁ ଯାଉଛନ୍ତି । ଅଧିରାଜ ପାଣିଗ୍ରାହୀ ହୁଅନ୍ତୁ କି ସୁରେନ୍ଦ୍ର ସିଂ ଭୋଇ । ରାଜ୍ୟରେ କଂଗ୍ରେସର ସ୍ଥିତି ଦେଖି ଆଗୁଆ କଂଗ୍ରେସ ନାଆରୁ ଡେଉଁଛନ୍ତି ନେତା । ନେତାଙ୍କ ଦଳବଦଳ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମନୋବଳ ଭାଙ୍ଗୁଛି ।

ପାରମ୍ପରିକ ଭୋଟ୍ ହିଁ ଭରସା
ଚବିଶ ପାଇଁ କଂଗ୍ରେସର ସେମିତି ରଣନୀତି ସାମନାକୁ ଆସିନି । ଗ୍ରାଉଣ୍ଡରେ ସାଂଗଠନିକ ସ୍ଥିତି ଦୁର୍ବଳ ଥିବା ବେଳେ ପାରମ୍ପରିକ ଭୋଟ୍ ବ୍ୟାଙ୍କ ଭରସାରେ ରହିଛି ଦଳ । ବିଜେଡି-ବିଜେପି ମେଂଟ ଚର୍ଚ୍ଚାକୁ ନେଇ ବି ଦଳ ସେମିତି ବଜ୍ ସୃଷ୍ଟି କରିପାରିନି । ଲୋକଙ୍କ ପାଖରେ ପହଂଚିବା ହେଉ କି ନିଜ ସଂଗଠନ ସଜାଡିବା, ବିଜେଡି, ବିଜେପିଠାରୁ ବହୁ ପଛରେ ରହିଛି କଂଗ୍ରେସ ।
ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ କହିଛନ୍ତି । କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ହିଁ ନିଜେ ନର୍ଲାରୁ ଲଢିବେ ବୋଲି ସଂକେତ ଦେଇଛନ୍ତି ଭକ୍ତ ଦାସ ।

ଭୁବନେଶ୍ୱରରୁ ପ୍ରିୟଦର୍ଶିନୀ ମହାପାତ୍ରଙ୍କ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.