Latest Odisha News

ବ୍ରହ୍ମପୁର ବଡ ଲଢେଇ: ପ୍ରଦୀପ ବନାମ ଭୃଗୁ?

ବ୍ରହ୍ମପୁର: ବିଜେଡିର ବ୍ରହ୍ମପୁର ସରପ୍ରାଇଜ । ୧୯ରେ ବିଜେପି ପ୍ରାର୍ଥୀ, ୨୪ରେ ବିଜେଡି ସେନାପତି । ବ୍ରହ୍ମପୁର ଲଢେଇରେ ଭୃଗୁ ଟୁଇଷ୍ଟ! ଗଞ୍ଜାମ ଗଣିତ ଗୋଳମାଳ! କେତେ କାମ କରିବ ବିଜେଡି ରଣନୀତି? ପ୍ରଦୀପ ପାଣିଗ୍ରାହୀଙ୍କୁ ମାତ୍ ଦେବେ କି ଭୃଗୁ? ନା ପ୍ରଦୀପଙ୍କ ଗୋଟିରେ ହେବେ ଆଉଟ୍? କଣ କହୁଛି ବ୍ରହ୍ମପୁର ସମୀକରଣ?

ଚବିଶ କୁରୁକ୍ଷେତ୍ରରେ ବ୍ରହ୍ମପୁରରେ ହେବ ବଡ ଲଢେଇ । ଦିନେ ବିଜେଡିର ଖାସ୍ ପ୍ରଦୀପ ପାଣିଗ୍ରାହୀ ଏଥର ବିଜେପି ପଟୁ ବ୍ୟାଟିଂ କରୁଛନ୍ତି । ସେପଟେ ବିଜେପିର ଗତଥରର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ବିଜେଡିର ଓପନର । ଦଳବଦଳ ସହ ଗୋଳିଆ ହୋଇଛି ଗଞ୍ଜାମ ରାଜନୀତି । କାହାକୁ ଭରସା କରିବେ ଜନତା? ପ୍ରଦୀପ ପାଣିଗ୍ରାହୀ ନା ଭୃଗୁ ବକ୍ସିପାତ୍ର? କେବଳ ଭୋଟର ନୁହେଁ ଗ୍ରାଉଣ୍ଡରେ କର୍ମୀ ବି କନଫ୍ୟୁଜ ।

ଦିନେ ଯାହା ବିରୋଧରେ ପ୍ରଚାର କରିଥିଲେ, ଏବେ ତାଙ୍କ ସମର୍ଥନରେ ମାଗିବେ ଭୋଟ୍ । ବ୍ରହ୍ମପୁର, ଏବେ ରାଜନୀତିଠୁ ବେଶୀ ବ୍ୟକ୍ତିଗତ ପ୍ରତିଶୋଧର ଲଢେଇ ହୋଇଛି । ତେଣୁ ନିଶ୍ଚିତ ବିଜୟ ପାଇଁ ରଣନୀତି କରୁଛନ୍ତି ଉଭୟ ବିଜେଡି ଓ ବିଜେପି । ଯେଉଁଠି ପ୍ରଦୀପଙ୍କୁ ପ୍ରାର୍ଥୀ କରି ବିଜେଡି ଆଗରେ ଠିଆ କରିଛି ବିଜେପି । ସେଠି ଭୃଗୁଙ୍କୁ ଟିକେଟ୍ ଦେଇ ବିଜେପିକୁ କାଉଣ୍ଟର ଚ୍ୟାଲେଞ୍ଜ ଦେଇଛି ବିଜେଡି । ଟିକେଟ୍ ହିସାବ ତ ବରାବର ହୋଇଛି । ଏବେ ରଣନୀତିର ଗଣିତ କଷୁଛନ୍ତି ଉଭୟ ଦଳ ।

ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ରହିଛି ଗଞ୍ଜାମ ଜିଲ୍ଲାର ୫ଟି ଓ ଗଜପତିର ୨ଟି ବିଧାନସଭା ଆସନ । ପ୍ରଦୀପ ପାଣିଗ୍ରାହୀଙ୍କର ଉଭୟ ଜିଲ୍ଲାରେ ଭଲ ଲୋକସଂପର୍କ ଓ ସମର୍ଥନ ରହିଛି । ୨୦୧୯ରେ ବିଜେଡିରେ ଥିବା ବେଳେ ସଂଗଠନ ଦାୟିତ୍ୱ ତୁଲାଇଥିଲେ ପ୍ରଦୀପ । ତେଣୁ ବିଜେଡିର କ୍ଷମତା ଚକ୍ରବ୍ୟୂହ ଭାଙ୍ଗିବାକୁ ପ୍ରଦୀପ ପାଣିଗ୍ରାହୀ ଗୋଟି ଚଳାଇଛି ବିଜେପି । ପ୍ରଦୀପଙ୍କୁ ଭିକ୍ଟିମ୍ ଦର୍ଶାଇ ଓଡିଆ ଅସ୍ମିତା କାର୍ଡ ଖେଳିଛି ବିଜେପି । ଦୀର୍ଘ ଦୁଇ ଦଶନ୍ଧି ଧରି ଦଳ ପାଇଁ କାମ କରିଛନ୍ତି ପ୍ରଦୀପ । ବିଜେଡିର ଶକ୍ତି ସାଙ୍ଗକୁ ଦୁର୍ବଳତା ବି ଭଲ ଭାବେ ଜାଣିଛନ୍ତି । ଏଥରର ନିର୍ବାଚନ ପ୍ରଦୀପଙ୍କ ପାଇଁ ବି ଅସ୍ଥିତ୍ୱର ଲଢେଇ । ତେଣୁ ସବୁ କୌଶଳ ଲଗାଇବେ ପ୍ରଦୀପ ।

ଗଞ୍ଜାମ ବିଜେଡିର ଗଡ ରହିଛି । ହିଞ୍ଜିଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ । ଗତ ନିର୍ବାଚନରେ ଜିଲ୍ଲାର ୧୩ରୁ ୧୨ଟି ସିଟ୍ ଜିତିଥିଲା ବିଜେଡି । ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି ଓ ଚିକିଟି ବିଜେଡି ପାଖରେ ରହିଛି । ମୋହନା କଂଗ୍ରେସ ଓ ପାରଳାଖେମୁଣ୍ଡି ଜିତିଥିଲା ବିଜେପି । ୨୦୦୯ରୁ ବିଜେଡି ବ୍ରହ୍ମପୁର ଲୋକସଭା ଆସନରେ ବାଜିମାତ୍ କରିଆସୁଛି । ଲୋକସଭା ଲଢେଇରେ ବିଜେଡିର ସଂଗଠନ ଭୃଗୁଙ୍କ ପାଇଁ ବଡ ବଳ ହେବ । ଗତଥର ଚନ୍ଦ୍ରଶେଖର ସାହୁଙ୍କଠାରୁ ୯୪ହଜାର ଭୋଟରେ ହାରିଥିଲେ ଭୃଗୁ । ହେଲେ ଏଥର ଦଳବଦଳ ସହ ସମୀକରଣ ବଦଳିଛି ।

ପ୍ରଦୀପ ଓ ଭୃଗୁଙ୍କୁ ଗ୍ରାଉଣ୍ଡରେ ଉଭୟ ଦଳର ମୂଳ କର୍ମୀ ଓ ନେତା ଗ୍ରହଣ କରିବା ଏତେ ସହଜ ନୁହେଁ । ବିଦ୍ରୋହ ଉଭୟ ବିଜେଡି ଓ ବିଜେପିରେ ହୋଇପାରେ । ତେଣୁ ପରିବର୍ତ୍ତିତ ସ୍ଥିତିକୁ ନିଜ ସପକ୍ଷରେ ଆଣିବା ସେତେ ସହଜ ହେବନି । ସେପଟେ କଂଗ୍ରେସରୁ ଯୁବ କଂଗ୍ରେସ ମୁଖ୍ୟ ରଶ୍ମିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ତେବେ ମୁଖ୍ୟ ମୁକାବିଲା ପ୍ରଦୀପ ଓ ଭୃଗୁଙ୍କ ମଧ୍ୟରେ ହେବ ବୋଲି କୁହାଯାଉଛି ।

Comments are closed.