Latest Odisha News

BREAKING NEWS

ଓଡ଼ିଶା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ଆଉ ଦୁଇ ପାଦ ଆଗକୁ ବଢ଼ିବ, ଆପଣେଇବ ବୈଷୟିକ ଜ୍ଞାନକୌଶଳ

ଭୁବନେଶ୍ୱର: ଓଡ଼ିଶାର ଅଗ୍ନିଶମ ବିଭାଗ ଏବେ ନୂତନ ଓ ଉନ୍ନତ ବୈଷୟିକ ଜ୍ଞାନକୌଶଳକୁ ଆପଣାଉଛି । ଯାହା ଦ୍ୱାରା ଉଦ୍ଧାର କାର୍ଯ୍ୟ ବେଶ୍‌ ସହାୟକ ହେବ । ନିକଟରେ ଅଗ୍ନିଶମ ବିଭାଗରେ କୁକୁର ସାମିଲ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ବର୍ତମାନ ରୋବଟ୍‌ ଏବଂ ସର୍ଚ୍ଚ କ୍ୟାମେରା ସାମିଲ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ସୂଚନା ରହିଛି  । ଏହି ସବୁ ସାମିଲ ହେଲେ ଓଡ଼ିଶା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ଆଉ ଦୁଇ ପାଦ ଆଗକୁ ବଢ଼ିବ। ଆସନ୍ତା ଏପ୍ରିଲ ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅଗ୍ନିଶମ ପ୍ରତିଷ୍ଠା ସପ୍ତାହରେ ଏହା ଜନସାଧାରଣ ସମୁଖରେ ପ୍ରଦର୍ଶିତ କରାଯିବ । ଅନେକ ସମୟରେ ବିସ୍ଫୋରଣ ହୋଇଥିବା କିମ୍ବା ହେବାର ଭୟ ଥିବା ସ୍ଥାନକୁ ଅଗ୍ନିଶମବାହିନୀ ଯାଇପାରନ୍ତି ନାହିଁ କିମ୍ୱା ପହଁଚିବାରେ ବିଳମ୍ୱ ହୁଏ ଯାହା ପାଇଁ ବହୁ କ୍ଷତି ହୋଇଥାଏ ।

ଏହିଭଳି ବିପଦକୁ ଟାଳିବାରେ ରିମୋଟ୍‌ କଣ୍ଟ୍ରୋଲ ରୋବୋଟ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଅଗ୍ନିଶମ ବିଭାଗ ସୂଚନା ଦେଇଛି । ଏହି ରୋବୋଟ୍‌ ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣ, ଟ୍ୟାଙ୍କର ବିସ୍ଫୋରଣ, ଏବଂ ଅନ୍ୟାନ୍ୟ ବିସ୍ଫୋରଣ ସ୍ଥଳକୁ ଯାଇ ନିଆଁ ଲିଭାଇବା ସହ ଲୋକଙ୍କୁ ଉଦ୍ଧାର କରି ଆଣିବ। କିନ୍ତୁ ଏହି ରୋବୋଟ୍‌ର କିଛି ବି କ୍ଷତି ହେବନି। ଏହି ରିମୋଟ୍‌ କଣ୍ଟ୍ରୋଲ ରୋବୋଟ୍‌କୁ ବିଦେଶରୁ ଅଣାଯାଇଛି।ସେହିଭଳି ପ୍ରଥମଥର ପାଇଁ ଓଡ଼ିଶା ଅଗ୍ନିଶମରେ ସାମିଲ ହୋଇଛି ସର୍ଚ୍ଚ କ୍ୟାମେରା। ଏହି କ୍ୟାମେରା ପାଣିରେ ବୁଡ଼ିଯାଇଥିବା ପଦାର୍ଥ ସହ ବ୍ୟକ୍ତିକୁ ଠାବ କରିବା ସହ କୌଣସି ସ୍ଥାନରେ ଡଙ୍ଗାବୁଡ଼ି ଯାଇଥିଲେ ଏହା ଖୁବ୍‌ କମ୍‌ ସମୟରେ ପାଣିରେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିପାରିବ । ତେବେ ଏହି ଦୁଇଟି ବୈଷୟିକ ଜ୍ଞାନକୌଶଳକୁ ଆସନ୍ତା ଅଗ୍ନିଶମ ପ୍ରତିଷ୍ଠା ଦିବସରେ ପ୍ରଦର୍ଶିତ ହେବ ବୋଲି ସୂଚନା ରହିଛି ।

Comments are closed.