Latest Odisha News

ଆହତ ଅବସ୍ଥାରେ ପଡିରହିଥିବା ହରିଣକୁ ଉଦ୍ଧାର କଲା ବନ ବିଭାଗ, ଗୋଡ ଓ ମୁଣ୍ଡରେ ଲାଗିଛି ଆଘାତ

ବରଗଡ: ଆହତ ଅବସ୍ଥାରେ ପଡିରହିଥିବା ଜଙ୍ଗଲି ହରିଣକୁ ଉଦ୍ଧାର କଲା ବରଗଡ ବନଖଣ୍ଡ ବିଭାଗ । ବରଗଡ ଜିଲ୍ଲା ଡେବ୍ରିଗଡ ଜଙ୍ଗଲରୁ ପାଣି ଅନୁସନ୍ଧାନରେ ଜଙ୍ଗଲ ବାହାରୁ ବରଗଡ ସହରକୁ ଚାଲିଆସିଥିବା ବେଳେ ଗାଡି ଧକ୍କାରେ ଆହତ ହୋଇ ଜାତୀୟ ରାଜପଥ ନିକଟରେ ପଡିରହିଥିଲା ହରିଣଟି ।

ଏନେଇ ସ୍ଥାନୀୟ ଲୋକେ ବରଗଡ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଖବର ଦେଇତିଲେ । ଜଙ୍ଗଲ ବିଭାଗକର୍ମୀ ଘଟଣାସ୍ଥଳରେ ପହଞ୍ଚି ଆହାତ ହରିଣକୁ ଉଦ୍ଧାର କରି ପଶୁ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଛନ୍ତି । ବରାହଗୁଡା ସ୍ଥିତ ରେଞ୍ଜ ଅଫିସରେ ରଖି ହରିଣଟିକୁ ଖାଦ୍ୟ ପେୟ ପ୍ରଦାନ କରି ତାର ଯତ୍ନ ନିଆଯାଉଛି ।

ତେବେ ହରିଣଟିର ଡାହାଣ ଗୋଡ ଭାଙ୍ଗି ଯାଇଥିବାବେଳେ ମୁଣ୍ଡରେ ମଧ୍ୟ କ୍ଷତ ଚିହ୍ନ ରହିଛି । ପଶୁ ଡାକ୍ତର ହରିଣଟିର ଗୋଡକୁ ପ୍ଲାଷ୍ଟର କରିଥିବାବେଳେ ଜଙ୍ଗଲ ବିଭାଗର ଯତ୍ନରେ ରହିଛି ହରିଣଟି । ହରିଣଟିକୁ ପ୍ରାୟ ୨ ବର୍ଷ ହୋଇଥିବା ଅନୁମାନ କରାଯାଉଥିବାବେଳେ ହରିଣଟି ସୁସ୍ଥ ହେଲାପରେ ତାକୁ ଡ଼େବ୍ରିଗଡ ଅଭୟାରଣ୍ୟ ରେ ଛଡାଯିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ମଧ୍ୟ ଜଙ୍ଗଲ ଭିତରୁ ହରିଣ ମାନେ ପାଣି ଅନ୍ବେଷଣରେ ବାହାରକୁ ଆସି ଅଚେତ ହୋଇପଡିଥିବା ନଜରକୁ ଆସିଥିବାବେଳେ, ଆଗକୁ ଯେପରି ହରିଣ ମାନେ ଘଞ୍ଚ ଜଙ୍ଗଲ ଛାଡି ବାହାରକୁ ନଆସିବେ ସେନେଇ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ପଶୁ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି ।

Comments are closed.