Latest Odisha News

ସାହିତ୍ୟ ମତେ ଆତ୍ମତୃପ୍ତି ଦିଏ : ଚିନ୍ମୟୀ ଚାନ୍ଦ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଚିନ୍ମୟୀ ଚାନ୍ଦ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।

ଓଡ଼ିଆ ସାହିତ୍ୟର ନବ ପ୍ରତିଭା ଚିନ୍ମୟୀ ଚାନ୍ଦଙ୍କ ସହ ‘ଅଳ୍ପ ଆଳାପ’

ମୁଁ କାହିଁକି ଲେଖେ?

କବିତା ହେଉ ଗପ, ଲେଖିଲେ ମନକୁ ଶାନ୍ତି ମିଳେ। ମନର ସବୁ ଦୁଃଖ ସୁଖ ସବୁ କବିତାରେ ପରିପ୍ରକାଶ କରି ଦେଇଥାଏ। ମନ ଖାଲକା ହୋଇଯାଏ। ଯେତେ ଦୁଃଖ ଯନ୍ତ୍ରଣାଥାଏ ଲାଘବ ହୋଇ ଆତ୍ମତୃପ୍ତି ମିଳିଥାଏ।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?

ପିଲାଦିନେ ବହୁତ ରେଡିଓ ଶୁଣେ। ମା ବହୁତ ଗାଳି ଦିଅନ୍ତି ଯୁବବାଣୀ, ମୋ ପସନ୍ଦ, ଏମିତି ଅନେକ ପ୍ରୋଗ୍ରାମ ଶୁଣିବାକୁ ଭଲ ଲାଗେ। ମୋ ପସନ୍ଦ କାର୍ଯ୍ୟକ୍ରମକୁ ଅନେକ ଚିଠି ଆସେ ସେଥିରେ ଅନେକ ସୁନ୍ଦର ସୁନ୍ଦର କବିତା ଆସିଥାଏ। ସେହି କବିତା ଶୁଣି ଲେଖିବାକୁ ଆଗ୍ରହ ହେଲା। ଧିରେ ଧିରେ ମୁଁ ମଧ୍ଯ କବିତା ଲେଖି ଆକାଶବାଣୀକୁ ପଠାଇଲି ଏବଂ ସେଠାରେ ମୋ କବିତା ସ୍ଥାନ ପାଇବାରୁ ଇଚ୍ଛା ଆହୁରି ବଢିଲା ଏବଂ ସେବେଠାରୁ କବିତା ଲେଖିବା ଜୀବନରେ ଆରମ୍ଭ ହେଲା। ଯେତେବେଳେ ମୁଁ କବିତାର ଅର୍ଥ କିଛି ଜାଣିନଥିଲି। ଆକାଶବାଣୀରେ ମୋ ନାଁ ପ୍ରକାଶ ପାଇବ ଏହି ଲୋଭରେ ଲେଖା ଆରମ୍ଭ କରିଥିଲି।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?

ପ୍ରଥମ ପ୍ରକାଶିତ କବିତା ଆକାଶବାଣୀର ଗୀତଗୀତିକାରେ ସ୍ଥାନିତ ହୋଇଥିଲା। କବିତାଟିର ନାମଥିଲା “ସନ୍ତ୍ରାସବାଦୀ”। ଏହି କବିତା ସ୍ଥାନ ପାଇବାପରେ ପ୍ରାୟ ଦଶରୁ ବାର ଚିଠି ଆମ ଘରକୁ ଆସିଥିଲା।ଚିଠି ଆସିବା ଦେଖି ଘର ଲୋକ ମଧ୍ୟ ଖୁସି ହୋଇଥିଲେ ଏବଂ ସେବେଠାରୁ ଅଧିକ ଓ ସୁନ୍ଦର କବିତା ଲେଖିବା ପାଇଁ ଆଗ୍ରହ ବଢିଯାଇଥିଲା। ଚିଠି ପଢି ମନରେ ଲେଖିବାର ଇଚ୍ଛାଶକ୍ତି ବଢିଥିଲା। ତାପରେ ଆଜି ପର୍ଯ୍ୟନ୍ତ ଲେଖିବା ଜାରି ରହିଛି।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

କବିତାରେ ନାରୀଶିକ୍ଷାର ପ୍ରସାର, ନାରୀ ନିର୍ଯାତନା, ଯୌତୁକ ପ୍ରଥା, ଭୃଣହତ୍ୟା, ପରିବେଶ ସୁରକ୍ଷା,ଆତ୍ମସଞ୍ଜମତା ଇତ୍ଯାଦି ସମାଜ ଉପଯୋଗୀ କବିତା ଲେଖିଥାଏ। ଯାହା ଆମ ସମାଜରେ କିଛି ବାର୍ତ୍ତା, ଶିକ୍ଷଣୀୟ କଥା ଦେବ।ସଚେତନତାର ବାର୍ତ୍ତା ଯେମିତି ଆମ ପରିବେଶଠାରୁ ଆରମ୍ଭ କରି ଆମ ଚରିତ୍ରକୁ ପରିମାର୍ଜିତ କରିପାରିବ। ଆମ ସମାଜରେ ଏକ ସୁସ୍ଥ ବାତାବରଣ ଓ ସମାଜକୁ ସତ୍ ଶିକ୍ଷା, ସତ୍ ଜ୍ଞାନ ଶିକ୍ଷା ଦେଉଥିବ। ଯେମିତି କୌଣସି କୁପ୍ରଭାବ ଆମ ସମାଜକୁ ଗ୍ରାସ ନକରିପାରିବା।

ତାଙ୍କ ରଚନାରୁ କବିତା : ତୁମେ

ହୃଦୟଟା ମୋର ମୁକ୍ତ ଆକାଶ
ତୁମେ ଚନ୍ଦ୍ରମା ସାଜିଯାଅ
ମୁକ୍ତ ଗଗନେ ମୁକ୍ତ ବିହଙ୍ଗଟେ
ପରି ନିତିନିତି ଉଡୁଥାଅ।

ମନଟା ମୋର ଫୁଲର ଉଦ୍ଯାନ
ତୁମେ ମଧୁମକ୍ଷୀ ସାଜିଯାଅ
ଫୁଲରୁ ଫୁଲକୁ ଉଡିଉଡି ଆସି
ମଧୁ ପାନ କରୁଥାଅ।

ଫୁଲ ବନେ ଚଗଲି ଫୁଲଟେ
ତୁମେ ମଦମତ୍ତ ଭ୍ରମର
ସଞ୍ଜରୁ ସକାଳ ତୁମରି ପରଶେ
ହୃଦୟକୁ ଛୁଇଁଛୁଇଁ ଯାଅ।

Comments are closed.