ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୁରୁବାର ଦିନ ହାଇକୋର୍ଟରେ ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଇଡି ଏବଂ ସିବିଆଇ ମାମଲାରେ ଜାମିନ ଆବେଦନ କରିଛନ୍ତି। ଜରୁରୀ ଶୁଣାଣି ପାଇଁ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ମନମୋହନ ଏବଂ ଜଷ୍ଟିସ ମନମିତ ପିଏସ ଆରୋରାଙ୍କ ବେଞ୍ଚ ପୂର୍ବରୁ ଏହି ଆବେଦନ କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ତାଲିକାଭୁକ୍ତ କରିବାକୁ ରାଜି ହୋଇଥିଲେ।
ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ତାଙ୍କ ପିଟିସନରେ ସିବିଆଇ ଏବଂ ଇଡି ମାମଲାରେ ଜାମିନ ନାମଞ୍ଜୁରକୁ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କ ଓକିଲ ରଜତ ଭରଦ୍ୱାଜ ଏବଂ ମହମଦ ଇରଶାଦ କୋର୍ଟର ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି । କହିଛନ୍ତି ଆବେଦନକାରୀ ବିଧାନସଭା ସଦସ୍ୟ ଏବଂ ବର୍ତମାନ ନିର୍ବାଚନ ମାହୋଲ ଚାଲିଛି । ଏହି ଅବସରରେ ତାଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ୍ । ଏହା ଉପରେ ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି କହିଛନ୍ତି, ଆସନ୍ତାକାଲି ଏହି ଆବେଦନ ଆସିବାକୁ ଦିଅନ୍ତୁ । ଏହାପୂର୍ବରୁ ଏପ୍ରିଲ ୩୦ ରେ ଦିଲ୍ଲୀ କୋର୍ଟ ଉକ୍ତ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।
Comments are closed.