Latest Odisha News

BREAKING NEWS

ଟାଇମ୍‍ପାସ୍‍ ‘ଉତ୍‍ସାହିତ୍ୟ’: ଦେବଦାସ ଛୋଟରାୟଙ୍କ ସହ ଗୋଟିଏ ଦିନ

ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁଙ୍କୁ ଟାଇମପାସ୍‍ ବୁକର ପୁରସ୍କାର

୬ ଜଣଙ୍କୁ ବେଷ୍ଟସେଲର୍‍ ଜଣଙ୍କୁ ବହିବନ୍ଧୁ ୧୦ ଜଣଙ୍କୁ ପ୍ରଥମା ୨୪ ଜଣଙ୍କୁ ଉଦୟରାଗ

ଭୁବନେଶ୍ୱର: ‘ଟାଇମପାସ୍‍’ ପ୍ରକାଶନ ଦ୍ୱାରା ଆୟୋଜିତ ଏକଦିବସୀୟ ସାହିତ୍ୟସଙ୍ଗତ ‘ଉତ୍‍ସାହିତ୍ୟ’ ସ୍ଥାନୀୟ ଉତ୍କଳ ରଂଗମଂଚରେ ଅପାରଂପରିକ ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଆଲୋଚନା, କବିତାପାଠ, ଏକକଅତିଥିଙ୍କ ସହ ପ୍ରଶ୍ନୋତ୍ତରୀ, ଗୀତ-ସଙ୍ଗୀତର ଯୁଗଳବନ୍ଦୀ, ଚଳଚ୍ଚିତ୍ର ପର୍ଦ୍ଦାୟନ, ଚିତ୍ରାଙ୍କନ, ଗଳ୍ପାଭିନୟ, ପୁସ୍ତକ ଲୋକାର୍ପଣ, ଅତିଥିଙ୍କ ଅଭିଭାଷଣ ସହିତ ଯୁବପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ ଭଳି ବହୁବିଧ କାର୍ଯ୍ୟକ୍ରମର ଏକ କଳାତ୍ମକ କୋଲାଜ ଥିଲା ‘ଉତ୍‍ସାହିତ୍ୟ’ ।

ଏକକ-ଅତିଥି ଭାବେ ‘ଦିନଟିଏ ଦେବଦାସ’ ଅଧିବେଶନରେ ପ୍ରଥମେ ମଂଚପ୍ରବେଶ କରିଥିଲେ ଓଡ଼ିଶାର ସ୍ୱନାମଧନ୍ୟ କଥାଶିଳ୍ପୀ ଓ ଗୀତିକାର ଦେବଦାସ ଛୋଟରାୟ । ଆୟୋଜକଙ୍କ ପକ୍ଷରୁ କବି ମୁକୁଲ ମିଶ୍ର ମୟୂରଚନ୍ଦ୍ରିକା ଓ ସମ୍ବଲପୁରୀ ବସ୍ତ୍ର ପ୍ରଦାନ କରି ତାଙ୍କୁ ଉତ୍ସବକୁ ସ୍ୱାଗତ କରିଥିଲେ । ସରୋଜ ବଳଙ୍କ ନିର୍ଦ୍ଦେଶନାରେ ଶ୍ରୀ ଛୋଟରାୟଙ୍କ ଉପରେ ନିର୍ମିତ ବୃତ୍ତଚିତ୍ର ‘କଟକ ଛଟକ’ ପ୍ରଦର୍ଶିତ ହୋଇଥିଲା । ପରେପରେ ସାହିତ୍ୟ ଓ ଜୀବନକୁ ନେଇ ଦେବଦାସ ଛୋଟରାୟଙ୍କ ସହ କଥାବାର୍ତ୍ତା କରିଥିଲେ ସରୋଜ ବଳ । ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ଯୁବଲେଖକମାନେ ମଧ୍ୟ ଏହି ଗପସପରେ ସାମିଲ ହୋଇ ଶ୍ରୀ ଛୋଟରାୟଙ୍କୁ ନାନା ବିଷୟରେ ପ୍ରଶ୍ନ ପଚାରିଥିଲେ । ଏହି ଅବସରରେ ପ୍ରାଚୀତାରାଙ୍କ ଦ୍ୱାରା ମଂଚସ୍ଥ ହୋଇଥିଲା ଶ୍ରୀ ଛୋଟରାୟଙ୍କ ଏକ ଗଳ୍ପର କଥାଭିନୟ । ଦେବଦାସଙ୍କ ଗଳ୍ପ ସଂକଳନ ‘ରମାକୁ ମାରିବାର ପାଞ୍ଚଟି ଉପାୟ’ର ଦ୍ୱିତୀୟ ସଂସ୍କରଣ ମଧ୍ୟ ଏହି ସତ୍ରରେ ଲୋକାର୍ପିତ ହୋଇଥିଲା ।

କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଦଶ ଜଣଙ୍କୁ ପ୍ରଦାନ କରାଯାଇଥିଲା ୨୦୧୯ ବର୍ଷର ଟାଇମପାସ ପ୍ରଥମା ପୁରସ୍କାର । ‘ପଞ୍ଚାନନ ନାୟକ କଲଚରାଲ୍‍ ଆଣ୍ଡ୍‍ ଚାରିଟେବଲ ଟ୍ରଷ୍ଟ୍‍’ର ସହଭାଗିତାରେ ଆୟୋଜିତ ଏହି ଅଧିବେଶନରେ ଯୋଗଦେଇ ଗଳ୍ପରେ ବିସ୍ମିତା ରାଣୀ ସାହୁ, ଲୋପାମୁଦ୍ରା ମିଶ୍ର; କବିତାରେ ସୌମ୍ୟରଞ୍ଜନ କ୍ଷେତୀ, ଲାବଣ୍ୟ ନାୟକ, ରୀତାଞ୍ଜଳି ମହାରଣା, ସ୍ମୃତିପ୍ରଭା ସାହୁ, ନିରୁପମା ବେହେରା, ବରଦା ପ୍ରସାଦ ଜେନା, ପ୍ରଶାନ୍ତ ମହାପାତ୍ର ଏବଂ ଗୀତିକବିତାରେ ଶୁଭଶ୍ରୀ ମହାରଣା ପ୍ରମୁଖ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଅନ୍ୟଏକ ସ୍ୱତନ୍ତ୍ର ଅଧିବେଶନରେ ବିଗତ ବର୍ଷର ପ୍ରଥମା ବିଜେତାଙ୍କ ସହ ଆଲୋଚନା କରିଥିଲେ ବିଶିଷ୍ଟ ଗାଳ୍ପିକା ଡ. ହିରଣ୍ମୟୀ ମିଶ୍ର । ‘ପ୍ରଥମ ବହି ପରେପରେ’ ଶୀର୍ଷକରେ ଆୟୋଜିତ ଏହି ସତ୍ରରେ ଅନୁପ କୁମାର ନନ୍ଦ, ଶୈଳେନ୍ଦ୍ର କୁମାର ଜେନା, ସୁମିତ ପଣ୍ଡା, ନଳିନୀକାନ୍ତ ପଟ୍ଟନାୟକ, ସଂଘମିତ୍ରା ରଥ, ଦିପୁନ ପୁହାଣ, ଆଲୋକ ରଂଜନ ଷଡ଼ଙ୍ଗୀ, ଅନ୍ନପୂର୍ଣ୍ଣା ଦାସ, ପ୍ରଜ୍ଞା ପାରମିତା ରଥ, ପ୍ରତିଭା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ସେମାନଙ୍କ ସାହିତ୍ୟଯାତ୍ରାର କାହାଣୀ ଉପସ୍ଥାପନ କରିଥିଲେ ।

୩୦ ବର୍ଷରୁ କମ୍‍ ବର୍ଷ ବୟସର ତରୁଣ ଲେଖକମାନଙ୍କୁ ନେଇ ହୋଇଥିବା ଗଳ୍ପ ଓ କବିତାର ପ୍ରତିଯୋଗିତା ‘ଉଦୟରାଗ’ରେ ସଫଳ ହୋଇଥିବା ୩୦ ଜଣ ଲେଖକଙ୍କ ମଧ୍ୟରୁ ଉପସ୍ଥିତ ଥିବା ୨୪ ଜଣଙ୍କୁ ଏହି ଅବସରରେ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା । ‘ପଞ୍ଚାନନ ନାୟକ କଲଚରାଲ୍‍ ଆଣ୍ଡ୍‍ ଚାରିଟେବଲ ଟ୍ରଷ୍ଟ୍‍’ର ସହଭାଗିତାରେ ଆୟୋଜିତ ଏହି ଅଧିବେଶନରେ କବିତାରେ ଅର୍ପିତା ରଣା, ବିଜୟ ବାରିକ, ବିକେଶ ସାହୁ, ଡିଲେଶ୍ୱର ରଣା, ହୃଷୀକେଶ ମହାରଣା, କାଜଲ ସ୍ୱାଇଁ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ପ୍ରବୀଣ କୁମାର କବି, ପ୍ରଜ୍ଞା ନିବେଦିତା ନାୟକ, ପ୍ରଶାନ୍ତ କୁମାର ଦାଶ, ରିଙ୍କି ପଧାନ, ଶୋଭାକର ପ୍ରଧାନ, ସ୍ୱପ୍ନାଜିତା ଶଙ୍ଖୁଆ ଏବଂ ଗଳ୍ପରେ ଆକାଶ ସାହୁ, ବେଦପ୍ରକାଶ ନାୟକ, ପ୍ରତ୍ୟାଶା ଧଳ, ପ୍ରତ୍ୟାଶା ପ୍ରିୟମ୍ବଦା, ପ୍ରିୟଦର୍ଶୀ ବିପ୍ଳବ କୁମାର, ରଶ୍ମିରଂଜନ ସାହୁ, ସଂଜୟ କୁମାର ପଣ୍ଡା, ସାର୍ଥକ ପ୍ରଧାନ, ସ୍ତୁତିରେଖା ମିଶ୍ର, ସ୍ୱାଗତିକା ଦାଶ ଓ ତ୍ରିଲୋଚନ ସାହୁ ପୁରସ୍କୃତ ହୋଇଥିଲେ ।

‘ଖତରନାକ ପ୍ରେମକବିତା’ ଶୀର୍ଷକରେ ଆୟୋଜିତ ଏକ ବିଶେଷ ଅଧିବେଶନରେ ଯୁବକବି ସଂଦୀପ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ଏକ କବିତା ପାଠ ଉତ୍ସବ । ଏଥିରେ ଅଂଶ ଗ୍ରହଣ କରିଥିଲେ ଭାରତ ମାଝୀ, ପ୍ରତୀକ୍ଷା ଜେନା, ସୁବ୍ରତ ଜେନା, ମୁକୁଲ ମିଶ୍ର, ସୂର୍ଯ୍ୟସ୍ନାତ ତ୍ରିପାଠୀ, ଦେବଦାସ ଛୋଟରାୟ, ସ୍ୱପ୍ନା ମିଶ୍ର ଏବଂ ମନୁଆ ଦାଶ । କବିତାର ଥିମ୍‍କୁ ଆଧାର କରି ବିଶିଷ୍ଟ ଯୁବଚିତ୍ରଶିଳ୍ପୀ ଫିର୍ଦୋଷୀ ତବସୁମ୍‍ ମଂଚ ଉପରେ କାନ୍‍ଭାସରେ ଅଙ୍କନ କରିଥିଲେ ପ୍ରେମର ଏକ ବିଶାଳ ଚିତ୍ରପଟ ।

ଗୀତ ଓ ସଙ୍ଗୀତ ଅଧିବେଶନରେ ଦେବଦାସ ଛୋଟରାୟ, ପଞ୍ଚାନନ ନାୟକ, ଶରତ ନାୟକ, ସେବାରାଣୀ ମହାପାତ୍ର ଓ ବିଜୟ ମଲ୍ଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶରତ ନାୟକ ଓ ସେବାରାଣୀ ମହାପାତ୍ର ନିଜ କଂଠର ଯାଦୁରେ ଉପସ୍ଥିତ ଦର୍ଶକଙ୍କୁ ସମ୍ମୋହିତ କରିଥିଲେ ।

ଏହି ଅବସରରେ ପ୍ରଦର୍ଶିତ ହୋଇଥିଲା ଅର୍ଜୁନ ସାମନ୍ତ ରାୟଙ୍କ ନିର୍ଦ୍ଦେଶିତ ତଥା ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ ରଚିତ କଳାତ୍ମକ ଚଳଚ୍ଚିତ୍ର ‘ମାଟିମୁହଁ’ । ପର୍ଦ୍ଦାୟନ ପରେ ନିର୍ଦ୍ଦେଶକ ଓ ସଂପୃକ୍ତ ଅଭିନେତାମାନେ ମଂଚରେ ଉପସ୍ଥିତ ରହି ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଉତ୍ସବ ତରଫରୁ ନିର୍ଦ୍ଦେଶକଙ୍କୁ ଉତ୍ତରୀୟ ସହ ସମ୍ମାନିତ କରାଯାଇଥିଲା ।

ଉତ୍ସବର ଉଦ୍‍ଯାପନୀ ଅଧିବେଶନରେ ଅତିଥି ଭାବେ ଯୋଗଦେଇଥିଲେ ପଶ୍ଚିମବଙ୍ଗର ବିଶିଷ୍ଟ କଥାକାର ଶ୍ୟାମଲ ଭଟ୍ଟାଚାର୍ଯ୍ୟ, ବିଶିଷ୍ଟ କଥାକାର ମୃଣାଳ ଏବଂ ବରିଷ୍ଠ ଲେଖକ ଦେବଦାସ ଛୋଟରାୟ ।

ଏହି ଅବସରରେ ‘କ୍ରୁଶ’ ଗଳ୍ପ ପାଣ୍ଡୁଲିପି ପାଇଁ ଆଶିଷ ଗଡ଼ନାୟକ ଓ ‘ସ୍ୱପ୍ନର ଶହେ ବର୍ଷ’ ଉପନ୍ୟାସ ପାଣ୍ଡୁଲିପି ପାଇଁ ସ୍ୱାଗତିକା ସ୍ୱାଇଁଙ୍କୁ ଯଥାକ୍ରମେ ୨୦୧୮ ଏବଂ ୨୦୧୯ ବର୍ଷର ଟାଇମପାସ୍‍ ବୁକର ପୁରସ୍କାର ପ୍ରଦାନ କରାଯାଇଥିଲା । ଗଳ୍ପ ସଂକଳନ ‘କାଠ’ ପାଇଁ ଅମୀୟ ବେଜ୍‍, ‘ମୁଠାଏ ଅଙ୍ଗାର’ ପାଇଁ ବିଚିତ୍ର ବିଶ୍ୱାଳ; କବିତା ସଂକଳନ ‘ଝଡ଼ପକ୍ଷୀର ଗୀତ’ ପାଇଁ ଶର୍ମିଷ୍ଠା ସାହୁ, ‘ଏ ସଂପର୍କ ଏମିତି’ ପାଇଁ ସୂର୍ଯ୍ୟସ୍ନାତ ତ୍ରିପାଠୀ; ଉପନ୍ୟାସ ‘ଅପରାଜିତା’ ପାଇଁ ପ୍ରଜ୍ଞାପ୍ରବର୍ତ୍ତିକା ଦାଶ ଓ ଅନୁବାଦ ପୁସ୍ତକ ‘ସେମାନଙ୍କ ଶ୍ରେଷ୍ଠଗଳ୍ପ’ ପାଇଁ କିଶୋର ପାଣିଗ୍ରାହୀଙ୍କୁ ଟାଇମପାସ ବେଷ୍ଟସେଲର ପୁରସ୍କାର ପ୍ରଦାନ କରାଯାଇଥିଲା । ବହି ସହ ଘନିଷ୍ଠ ସଂପୃକ୍ତି ପାଇଁ ତାପସ ରାଉତଙ୍କୁ ଚଳିତ ବର୍ଷର ଟାଇମପାସ୍‍ ବହିବନ୍ଧୁ ସମ୍ମାନ ପ୍ରଦାନ କରାଯାଇଥିଲା । ପୁରସ୍କୃତ ସମସ୍ତ ପ୍ରତିଭାଙ୍କ ଉପରେ ସରୋଜ ବଳଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏକଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା ।

ଏହି ଅବସରରେ ଡକ୍ଟର ପ୍ରମୋଦ ପରିଡ଼ାଙ୍କ ଅନୂଦିତ ଶ୍ୟାମଲ ଭଟ୍ଟାଚାର୍ଯ୍ୟଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ବୁଖାରୀ’, ପଞ୍ଚାନନ ନାୟକଙ୍କ ଗୀତିକବିତା ‘ହୃଦୟ କିଛି କହିଲା’, ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ଗଳ୍ପ ସଂକଳନ ‘ପୁନର୍ନବ’, ପ୍ରଦୀପ କୁମାର ପଣ୍ଡାଙ୍କ କବିତା ସଂକଳନ ‘ତୂଳି’, ଆଶିଷ ଗଡ଼ନାୟକଙ୍କ ପୁରସ୍କୃତ ଗଳ୍ପ ସଂକଳନ ‘କ୍ରୁଶ’, ସ୍ୱାଗତିକା ସ୍ୱାଇଁଙ୍କ ପୁରସ୍କୃତ ଉପନ୍ୟାସ ‘ସ୍ୱପ୍ନର ଶହେ ବର୍ଷ’, ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ ପୁରସ୍କୃତ କବିତା ସଂକଳନ ‘ଏ ସଂପର୍କ ଏମିତି’ ଆଦି ପୁସ୍ତକ ଲୋକାର୍ପିତ ହୋଇଥିଲା ।

ସମଗ୍ର କାର୍ଯ୍ୟକ୍ରମକୁ ବିଶିଷ୍ଟ କବି ଓ ଗୀତିକାର ବିଜୟ ମଲ୍ଲ ସଂଯୋଜନା କରିଥିବାବେଳେ ଅନ୍ତିମ ଅଧିବେଶନରେ ସରୋଜ ବଳ ସ୍ୱାଗତଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ପରିଚାଳନାରେ ବିଭୂତି ଖୁଣ୍ଟିଆ, ସୂର୍ଯ୍ୟସ୍ନାତ ତ୍ରିପାଠୀ, ଅବିନାଶ ସାହୁ, ବେଦପ୍ରକାଶ ନାୟକ, ଜ୍ୟୋତିରଂଜନ ରାଉତ, ବଳରାମ ନାୟକ, ବିକ୍ରମ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.