ଭୁବନେଶ୍ଦର: ‘ମୋଦିଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲି । ମୋଦି କେବଳ କୁହନ୍ତିନି, କାର୍ଯ୍ୟରେ କରି ଦେଖାନ୍ତି । ପ୍ରଭାତୀ ପରିଡ଼ାଙ୍କ ବିଜୟକୁ କେହି ଅଟକାଇ ପାରିବେନି । ମୋଦି ଆତ୍ମବିଶ୍ବାସ ଓ ଭରସାର ବାତାବରଣ ସୃଷ୍ଟି କରିଛନ୍ତି । ନିର୍ବାଚନ ବେଳେ ଓ ନିର୍ବାଚନ ପରେ, ଦଳ ମୋତେ ଯେଉଁ ଦାୟିତ୍ବ ଦେବ ନିଷ୍ଠାର ସହ ତୁଲାଇବି ।’ ବିଜେପିରେ ଯୋଗ ଦେବା ପରେ କିଛି ଏମିତି କହି ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ନିମାପଡା ବିଧାୟକ ତଥା ପୂର୍ବତନ ଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ତେବେ ଏବେ ବିଜେପି ସହ ହାତ ମିଶାଇଛନ୍ତି ସମୀର ରଞ୍ଜନ ଦାସ । ଆଜି ସକାଳେ ବିଜେଡି ଦଳରୁ ଇସ୍ତଫା ଦେଇଥିବା ବେଳେ ଏବେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ସମୀର । ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମର୍ଥକଙ୍କ ସହ ଆସି ବିଜେପି ସହ ହାତ ମିଲାଇଛନ୍ତି ନିମାପଡା ବିଧାୟକ ତଥା ପୂର୍ବତନ ଶିକ୍ଷା ମନ୍ତ୍ରୀ ସମୀର ଦାଶ । ସଭାପତି ମନମୋହନ ସାମଲ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ସମୀରଙ୍କ ସହିତ ତାଙ୍କର ଅନେକ ସମର୍ଥକ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି।
ତେବେ ଟିକେଟ ନ ମିଳିବାରୁ ସକାଳେ ବିଜେଡି ଛାଡିଥିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତାଙ୍କ ସ୍ଥାନରେ ନିମାପଡାରୁ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଯାହାକୁ ନେଇ ଅସନ୍ତୋଷ ଥିଲେ ସମୀର । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ସମୀର ।
ସମୀର ଦଳ ଛାଡ଼ିଥିବା ନେଇ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଥିଲେ । ଯେଉଁଥିରେ ସେ କହିଥିଲେ, ୨୦୦୬ ମସିହାରୁ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛି। ରାଜ୍ୟ ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଛନ୍ତି । ଏଥିସହ ଗୋପ ବିଜେଡି ସଂଗଠନ ଉପରେ ମଧ୍ୟ ଆସ୍ଥା ହରାଇଛନ୍ତି। ଯେଉଁଠି ନେତା ମୋ ଉପରେ ଆସ୍ଥା ହରାଇଛନ୍ତି ସେଠି ଦଳରେ ରହିବା ଠିକ୍ ନୁହେଁ । ମୁଁ ଦଳର ପ୍ରାଥମିକ ପଦରୁ ଆଜି ଇସ୍ତଫା ଦେଉଛି । ମୁଁ ମୋର ଇସ୍ତଫାପତ୍ର ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛି ।
ସୂଚନାଯୋଗ୍ୟ, ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡିରୁ ବିଧାୟକ ହୋଇଥିଲେ ସମୀର ରଞ୍ଜନ ଦାଶ । ପୂର୍ବରୁ ଦଳ ପ୍ରତି ଅସନ୍ତୋଷ ଥିବା ନେଇ ଚର୍ଚ୍ଚା ହେଉଥିଲା । ନିମାପଡ଼ାରେ ସେ ବାରମ୍ବାର ଶକ୍ତି ପ୍ରଦର୍ଶନ କରିଥିଲେ। ପୁଣି ଥରେ ପ୍ରାର୍ଥୀ ଚୟନ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଦଳ ଟିକେଟ ନଦେବାରୁ ସେ ଅସନ୍ତୁଷ୍ଟ ଥିଲେ। ବର୍ତମାନ ସେ ବିଜେପିରେ ଯୋଗ ଦେଇଛନ୍ତି । ଆଉ ବିଜେପିରେ ଯୋଗ ଦେଉ ଦେଉ ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସମୀର ।
Comments are closed.