Latest Odisha News

ଚମକାଇବ ଚାନ୍ଦବାଲି ଫଳ !

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ଆସନରେ ଏଥର ହେଭିଓ୍ବେଟଙ୍କ ମଧ୍ୟରେ ସମ୍ମାନର ଲଢେଇ । ହ୍ୟାଟ୍ରିକ ଆଶାରେ ମଇଦାନରେ ରହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । କଂଗ୍ରେସ ଅମୀୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ଗତ ଦୁଇଟି ନିର୍ବାଚନରେ ବ୍ୟୋମକେଶଙ୍କଠାରୁ ହାରିଛନ୍ତି ମନମୋହନ । ହେଲେ ଏଥର ରାଜ୍ୟ ବିଜେପି ସଭାପତି ଭାବେ ଚାନ୍ଦବାଲି ଦଖଲ କରିବାକୁ ରଣନୀତି କରୁଛନ୍ତି ।

ସମ୍ମାନ ରଖିବେ ମନମୋହନ !

ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ଡନ କରିଥିଲେ ମନମୋହନ ସାମଲ । କୁହାଯାଇଥିଲା, ରାଜ୍ୟ ବିଜେପି ଚାପରେ ଦୁଇ ଦଳ ମଧ୍ୟରେ ମେଣ୍ଟ ହୋଇନଥିଲା। ଆଉ ସେଥିରେ ମନମୋହନଙ୍କ ବଡ ଭୂମିକା ରହିଥିଲା। ତେଣୁ ରାଜ୍ୟ ବିଜେପିର ଭଲ ପ୍ରଦର୍ଶନ ସାଙ୍ଗକୁ ନିଜେ ଜିତିବା ବି ମନମୋହନଙ୍କ ପାଇଁ ସମ୍ମାନର ପ୍ରଶ୍ନ । ଗତଥର ସେ ବ୍ୟୋମକେଶଙ୍କଠାରୁ ୮ହଜାର ଭୋଟରେ ହାରିଥିଲେ । ହେଲେ ଏଥର ବିଜୟ ରଣନୀତି ବହୁ ପୂର୍ବରୁ କରିଛନ୍ତି ମନମୋହନ । ମୋଦିଙ୍କ ଗ୍ୟାରେଣ୍ଟି ନେଇ ସେ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ।

ବାଜି ମାରିବେ କି ବ୍ୟୋମକେଶ !

ଗତ ତିନି ଥର ହେଲା ଚାନ୍ଦବାଲି ଦଖଲ କରିଆସୁଛି ବିଜେଡି । ଗତ ଦୁଇ ଥର ହେଲା ଜିତି ଆସୁଛନ୍ତି ବ୍ୟୋମକୋଶ ରାୟ । ଅଳ୍ପ ବ୍ୟବଧାନରେ ହେଲେ ବି ଗଡ ରକ୍ଷା କରିଛନ୍ତି ବ୍ୟୋମକେଶ । ମାଗଣା ବିଜୁଳି ପ୍ରତିଶ୍ରୁତି ସାଙ୍ଗକୁ ବିଏସକେଓ୍ବାଇ ପରି ବିକାଶମୂଳକ ଯୋଜନା ନେଇ ସେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ବ୍ୟୋମକେଶ ପାଇଁ ବି ଗଡ ରକ୍ଷା କରିବା ଏଥର ସହଜ ହେବନି ।

ନିର୍ଣ୍ଣାୟକ ହେବ କଂଗ୍ରେସ ଭୋଟ୍

ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ କଂଗ୍ରେସର ପାରମ୍ପରିକ ଭୋଟ୍ ରହିଛି । କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅମୀୟ ମହାପାତ୍ର ୨୦୦୯ ଓ ୨୦୧୪ରେ ବିଜେଡିକୁ ଭଲ ଟକ୍କର ଦେଇ ଦ୍ବିତୀୟରେ ରହିଥିଲେ । ଗତଥର ସେ ପ୍ରାର୍ଥୀ ହୋଇନଥିବା ବେଳେ ତୃତୀୟ ସ୍ଥାନକୁ ଖସିଥିଲା କଂଗ୍ରେସ । ଏଥର ନିଜ ସମର୍ଥକଙ୍କ ସହ କଂଗ୍ରେସ ଭୋଟ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି ଅମୀୟ। କଂଗ୍ରେସ ନିଜ ଭୋଟ୍ ସୁରକ୍ଷିତ ରଖିଲେ କାହାର ଭୋଟ୍ କଟିବ ? ପାରମ୍ପରିକ ଭାବେ କଂଗ୍ରେସ ଭୋଟ୍ ବିଜେଡିକୁ ଯାଉଥିବାରୁ ବ୍ୟୋମକେଶ ଅଡୁଆରେ ପଡିପାରନ୍ତି ।

ଚାନ୍ଦବାଲିରେ ସବୁ ଦଳର ସମରସଜ୍ଜା

ଚାନ୍ଦବାଲି ବିଧାନସଭାରେ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ସମରସଜ୍ଜା କରାଯାଇଛି । ବିଜେପି ଚାଣକ୍ୟ ଅମିତ ଶାହା ମନମୋହନ ସାମଲଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ବର୍ଷାରେ ଭିଜି ଭିଜି ରୋଡ୍ ଶୋ କରିଛନ୍ତି ଓଲିଉଡ୍ ଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି । ବିଜେଡି ପାଇଁ ଭୋଟ୍ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ । ସେପଟେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଚାନ୍ଦବାଲିରେ ନିର୍ବାଚନୀ ସଭା କରିଛନ୍ତି ।

ଚାନ୍ଦବାଲିରେ ହାଇଭୋଲଟେଜ୍ ଲଢେଇ ହେଉଛି । ବିଧାନସଭା ଜିତିବାକୁ ଜାନ୍ ଲଗାଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା । ତେଣୁ ବିଧାନସଭାରେ କ୍ଲୋଜ୍ ଫାଇଟ୍ ହୋଇପାରେ । ଖୁବ୍ କମ୍ ବ୍ୟବଧାନରେ ହାର ଜିତ୍ ହୋଇପାରେ । ବିଜେଡି ପୁଣି ଚାନ୍ଦବାଲିରେ କରିବ କି ଶଙ୍ଖନାଦ ? ପଦ୍ମ ଫୁଟାଇବ ବିଜେପି ? ନା ଚାନ୍ଦବାଲିରେ ଚମକାଇବ କି କଂଗ୍ରେସ ?

Comments are closed.