ଭୁବନେଶ୍ୱର: ଓଡ଼ିଶାର ଯେଉଁସବୁ ସ୍ଥାନ ଗୁଡ଼ିକରେ ମାଟି ଅତଡ଼ା ଧସିବାର ସମ୍ଭାବନା ରହିଛି ସେ ସ୍ଥାନଗୁଡ଼ିକର ସଠିକ୍ ସ୍ଥାନ ନିରୁପଣ କରିବା ନେଇ ରାଜ୍ୟ ସରକାର ମୁମ୍ବାଇ ଆଇଆଇଟି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତିି । ଏସମ୍ପର୍କରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ତଥା ଦୁର୍ବିପାକ ପରିଚାଳନା ବିଭାଗ ପ୍ରମୁଖ ସଚିବ ପ୍ରଦୀପ ଜେନା ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ।
ଏସଆରସି ଶ୍ରୀ ଜେନା କହିଛନ୍ତି ଯେ, ଏନେଇ ତୁରନ୍ତ ସର୍ଭେ ହେବା ଜରୁରୀ । କାରଣ, ରାଜ୍ୟରେ ଗତ କିଛିବର୍ଷ ହେଲା ବର୍ଷା ଜନିତ ମାଟି ଅତଡ଼ା ଖସିିବା ଦୁର୍ଘଟଣା ବାରମ୍ବାର ଘଟି ଧନ ଜୀବନ ନଷ୍ଟ ହେଉଛି ।
“ଏହିସବୁ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯିବା ପରେ ସେହିସବୁ ସ୍ଥାନ ମାନଙ୍କରେ ବସବାସ କରୁଥିବା ଅଧିବାସୀମାନଙ୍କ ଲାଗି ଏନେଇ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବ । ଯାହାଦ୍ୱାରା କି ମାଟି ଅତଡ଼ା ଧସିବା ସମୟରେ ଏବଂ ଏହା ପୂର୍ବରୁ ଜନସାଧାରଣ ସତର୍କତା ଅବଲମ୍ବନ କରି ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରିବେ,” ବୋଲି ଏସଆରସି କହିଛନ୍ତି ।
ଏପରିକି ଆବଶ୍ୟକ ପଡ଼ିଲେ ଯେଉଁସବୁ ଅଞ୍ଚଳରେ ମାଟି ଧସିଯିବାର ଅଧିକ ଆଶଙ୍କା ରହିଛି ସେହିସବୁ ସ୍ଥାନମାନଙ୍କରେ ରହିଥିବା ଜନସାଧାରଣ ମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାୟୀ ଭାବେ ସ୍ଥାନାନ୍ତରୀଣ କରାଯିବ ବୋଲି କହିଛନ୍ତି ଏସଆରସି ।
Comments are closed.