Latest Odisha News

ଖୁବଶୀଘ୍ର ଓଡ଼ିଶାରେ ଛୁଇଁବ ମୌସୁମୀ, ଜୁନ ୧୨ ପରେ ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଭୀଷଣ ତାତି ଯୋଗୁଁ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି ଉପୁଜିଛି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ଗତକାଲି ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୬.୩ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଆଜି ୪୭ ଡିଗ୍ରୀରେ ପହଞ୍ଚିଛି । ଝାରସୁଗୁଡ଼ାର ତାପମାତ୍ରା ୪୭ ଡିଗ୍ରୀରେ ପହଞ୍ଚିବା ସହ ମେ ମାସର ସର୍ବକାଳୀନ ରେକର୍ଡ ଭାଙ୍ଗିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହାରି ଭିତରେ ଆଶ୍ୱସ୍ତିକର ଖବର ଆସିଛି। ଖୁବଶୀଘ୍ର ଓଡ଼ିଶାରେ ଛୁଇଁବ ମୌସୁମୀ।

ଓଡ଼ିଶାବାସୀ ପ୍ରବଳ ତାତି ଯନ୍ତ୍ରଣାରୁ ମୁକ୍ତ ପାଇବେ । ଜୁନ ୧୨ରେ ମୌସୁମୀ ରାଜ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର-ପୂର୍ବ ଆଡ଼କୁ ଅଗ୍ରସର ହୋଇ ତା’ ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ରାଜ୍ୟର କୋଟାୟାମ ଜିଲ୍ଲାର କିଛି ସ୍ଥାନରେ ପ୍ରଥମ ମୌସୁମୀ ବର୍ଷା ରେକର୍ଡ କରାଯାଇଛି ।

ଅରୁଣାଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମଣିପୁର, ମିଜୋରାମ ଓ ଆସାମରେ ସାଧାରଣ ମୌସୁମୀ ଜୁନରେ ଆରମ୍ଭ ହେବ । ଜୁନ ୧୨ ପରେ ଓଡ଼ିଶାକୁ ମୌସୁମୀ ଆସିବାର ସମ୍ଭାବନା ରହିଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Comments are closed.