Latest Odisha News

BREAKING NEWS

ଆସନ୍ତାକାଲି କାକଟପୁର ଓ ନିମାପଡାରେ ମତଦାନ, ଭୋଟ୍ ଦେବେ ୪୯୧୬୯୮ ଭୋଟର

ପୁରୀ: ଆସନ୍ତାକାଲି ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ମଧ୍ୟରେ ପୁରୀ ଜିଲ୍ଲାରେ ଦ୍ୱିତୀୟ ତଥା ଚୁଡାନ୍ତ ପର୍ଯ୍ୟାୟ ପାଇଁ ଭୋଟ୍ ପଡିବ । ୧୬ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୫ କାକଟପୁର ଓ ୧୦୬ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ୍ ୧ ତାରିଖ ସକାଳ ୭ ଟା ରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି ।

ଆଜି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରୁ କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀ ର ମତଦାନ ପାଇଁ ପୁଲିଂ ପାର୍ଟି କୁ ବିଭିନ୍ନ ବୁଥକୁ ପ୍ରେରଣ କରାଯାଇଛି । ସେମାନଙ୍କ ସହଯୋଗ ପାଇଁ ସେକ୍ଟର ଅଫିସର ମାନଙ୍କୁ ନିୟୋଜିତ କରାଯାଇଛି । ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ମୁକ୍ତ, ଅବାଧ, ନିରପେକ୍ଷ ଓ ସୁରକ୍ଷିତ ନିର୍ବାଚନ ପାଇଁ ବୁଥ୍ ମାନଙ୍କରେ ୱଏବ କାଷ୍ଟିଂ, ମାଇକ୍ରୋ ଅବଜରଭରଙ୍କୁ ଦାୟିତ୍ୱ, କେନ୍ଦ୍ରୀୟ ସଶସ୍ତ୍ର ବଳ ଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିପରି କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୧ ଜଣ ପ୍ରାର୍ଥୀ ଥିବା ବେଳେ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୩ ଜଣ ପ୍ରାର୍ଥୀ ରହିଛନ୍ତି । ଏହି ଦୁଇ ନିର୍ବାଚନ ମଣ୍ଡଳୀ ର ମୋଟ ୪୯୧୬୯୮ ଭୋଟର ୫୬୦ ଟି ମତଦାନ କେନ୍ଦ୍ର ରେ ମତଦାନ ସାବ୍ୟସ୍ତ କରିବେ ।

ଏଥିରେ ପୁରୁଷ ଭୋଟର ଙ୍କ ସଂଖ୍ୟା ୨୫୨୬୫୧ ଥିବାବେଳେ, ମହିଳା ଭୋଟର ଙ୍କ ସଂଖ୍ୟା ୨୩୯୦୩୫ ଏବଂ ୧୨ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି । ଏଥିରେ କାକଟପୁର ନିର୍ବାଚନ ମଣ୍ଡଳୀର ୨୮୦ ଟି ବୁଥ୍ ରେ ୧୨୫୯୩୯ ପୁରୁଷ, ୧୧୮୧୬୩ ମହିଳା ଓ ୪ ଜଣ ଅନ୍ୟାନ୍ୟ ଭୋଟର ମତଦାନ କରିବାକୁ ଥିବାବେଳେ ନିମାପଡା ନିର୍ବାଚନ ମଣ୍ଡଳୀର ୨୮୦ ବୁଥ୍ ରେ ୧୨୬୭୧୨ ପୁରୁଷ, ୧୨୦୮୭୨ ମହିଳା ଓ ୮ ଜଣ ଅନ୍ୟାନ୍ୟ ଭୋଟର ମତଦାନ କରିବେ ।

କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀ ରେ ମୋଟ ୯୮ ଟି ବୁଥ୍ କୁ ମଡେଲ ବା ଆଦର୍ଶ ବୁଥ କରାଯାଇଛି । ସେଥିମଧ୍ୟରୁ ୭୬ ବୁଥ୍ ରେ କେବଳ ମହିଳା ମାନଙ୍କ ଦ୍ଵାରା ପରିଚାଳିତ ସଖି ବୁଥ୍ ହୋଇଥିବା ବେଳେ ଭିନ୍ନକ୍ଷମ ପୁଲିଂ ଅଫିସର ମାନଙ୍କ ଦ୍ୱାରା ୪ଟି, ଯୁବ ପୁଲିଂ ଅଫିସର ମାନଙ୍କ ଦ୍ବାରା ପରିଚାଳିତ ୫ଟି, ପରିବେଷ ଉପଯୋଗୀ ବା ଇକୋ ଫ୍ରେଣ୍ଡଲି ୮ ଓ ଥିମ୍ ବେଶ ୫ ଟି ବୁଥ୍ ରହିଛି ।

ନିର୍ବାଚନ ଗଣତନ୍ତ୍ର ର ମହାପର୍ବ । ତେଣୁ ସମସ୍ତ ଭୋଟର ମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥ୍ ମାନଙ୍କରେ ନିଶ୍ଚିତ ମତଦାନ କରିବାକୁ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ, କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଅନୁରୋଧ କରିଛନ୍ତି ।

Comments are closed.