Latest Odisha News

୨୦୨୧ ଟି୨୦ ବିଶ୍ୱକପ : ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ

ୟୁଏଇ ଓ ଓମାନରେ ୨୦୨୧ ଟି୨୦ ବିଶ୍ୱକପ କ୍ରିକେଟ ଆୟୋଜନ ହୋଇଥିଲା । ଏଥିରେ ମଧ୍ୟ ପୂର୍ବ ଫର୍ମାଟ ଅନୁସାରେ ୧୬ଟି ଟିମକୁ ନେଇ ଟୁର୍ଣ୍ଣାମେଂଟ ଖେଳା ଯାଇଥିଲା । ଆଇସିସି ର‌୍ୟାଙ୍କିଙ୍ଗର ଶ୍ରେଷ୍ଠ ୮ଟି ଟିମ ଏବଂ ପ୍ରଥମ ରାଉଣ୍ଡରୁ ୪ଟି ଟିମ ସୁପର ୧୨ରେ ପ୍ରବେଶ କରିଥିଲେ । ଗ୍ରୁପ ୧ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ ରହିଥିବା ବେଳେ ଗ୍ରୁପ ୨ରେ ପାକିସ୍ତାନ, ନ୍ୟୁଜିଲାଣ୍ଡ, ଭାରତ, ଆଫଗାନିସ୍ତାନ, ନାମ୍ବିଆ ଓ ସ୍କଟଲାଣ୍ଡ ରହିଥିଲେ ।

ପ୍ରଥମ ମୁକାବିଲାରେ ଭାରତ ୧୦ ୱିକେଟରେ ପାକିସ୍ତାନ ନିକଟରୁ ପରାଜିତ ହୋଇଥିଲା । ଆଇସିସି ବିଶ୍ୱକପରେ ଭାରତ ବିପକ୍ଷରେ ପାକିସ୍ତାନର ଏହା ପ୍ରଥମ ବିଜୟ । ପ୍ରଥମେ ବ୍ୟାଟି କରି ଭାରତ ୭ ୱିକେଟ ବିନିମୟରେ ୧୫୧ ରନ କରିଥିଲା । ବିରାଟ କୋହଲି ସର୍ବାଧିକ ୫୭ ରନ ଏବଂ ରିଷଭ ପନ୍ତ ୩୯ ରନ କରିଥିଲେ । ଶାହୀନ ଶାହ ଆଫ୍ରିଦୀ ୩ଟି ୱିକେଟ ନେଇଥିଲେ । ଜବାବରେ କୌଣସି ୱିକେଟ ନ ହରାଇ ପାକିସ୍ତାନ ୧୭.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ମହମ୍ମଦ ରିଜୱାନ ୭୯ ଓ ବାବର ଆଜମ ୬୮ ରନ କରି ଅପରାଜିତ ରହିଥିଲେ ।

ଦ୍ୱିତୀୟ ମ୍ୟାଚରେ ମଧ୍ୟ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡଠାରୁ ହାରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୧୧୦ ରନ କରିବାକୁ ସକ୍ଷମ ହୋଇଥିଲା । ରବୀନ୍ଦ୍ର ଜାଡେଜା ୨୬ ରନ କରିଥିଲେ । ନ୍ୟୁଜିଲାଣ୍ଡ ୧୪.୩ ଓଭରରେ ୨ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ଡାରେଲ ମିଚେଲ ୪୯ ରନ କରିଥିଲେ । ତୃତୀୟ ମୁକାବିଲାରେ ଭାରତ ୬୬ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ବିସ୍ଫୋରକ ୭୭ ରନ ବଳରେ ଭାରତ ୨୧୦ ରନ କରିଥିଲା । ଆଫଗାନିସ୍ତାନ ନିର୍ଦ୍ଧାରିତ ଓଭରରେ ୧୪୪ ରନ କରିବାକୁ ସକ୍ଷମ ହୋଇଥିଲା । କରିମ ଜନତ ୪୨ ରନ କରିଥିବା ବେଳେ ମହମ୍ମଦ ସାମୀ ୩ଟି ୱିକେଟ ନେଇଥିଲେ ।

ଏହା ପରେ ସ୍କଟଲାଣ୍ଡକୁ ମଧ୍ୟ ଭାରତ ୮ ୱିକେଟରେ ସହଜରେ ପରାସ୍ତ କରିଥିଲା । ସ୍କଟଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୮୫ ରନରେ ଅଲଆଉଟ ହୋଇ ଯାଇଥିଲା । ସାମୀ ୩ଟି ୱିକେଟ ନେଇଥିଲେ । ଭାରତ ୬.୩ ଓଭରରେ ୨ଟି ୱିକେଟ ହରାଇ ବିଜୟୀ ହୋଇଥିଲା । କେଏଲ ରାହୁଲ ୫୦ ରନ କରିଥିଲେ । ଅନ୍ତିମ ମୁକାବିଲାରେ ଭାରତ ନାମ୍ବିଆକୁ ୯ ୱିକେଟରେ ପରାଜିତ କରିଥିଲା । ନାମ୍ବିଆ ପ୍ରଥମେ ବ୍ୟାଟିଂ କରି ୧୩୨ ରନ କରିଥିଲା । ଭାରତ ୧୫.୨ ଓଭରରେ ଗୋଟିଏ ୱିକେଟ ହରାଇ ୧୩୬ ବିଜୟୀ ହୋଇଥିଲା । ରୋହିତ ୫୬ ଓ ରାହୁଲ ୫୪ ରନ କରିଥିଲେ । ଭାରତ ସେମିରେ ପ୍ରବେଶ କରିପାରି ନ ଥିଲା ।

ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଓ ପାକିସ୍ତାନ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହୋଇଥିଲା । ପ୍ରଥମ ସେମିରେ ଇଂଲଣ୍ଡ ୧୬୭ ରନର ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଥିଲା । ମୋଇନ ଅଲୀ ୫୧ ରନ କରିଥିଲେ । ନ୍ୟୁଜିଲାଣ୍ଡ ୧୯ ଓଭରରେ ୫ ୱିକେଟ ହରାଇ ଏହାକୁ ହାସଲ କରି ନେଥିଲା । ଡାରେଲ ମିଚେଲ ୭୨ ରନ କରିଥିଲେ । ଦ୍ୱିତୀୟ ସେମିରେ ଅଷ୍ଟ୍ରେଲିଆ ୫ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା । ପାକିସ୍ତାନ ରିଜୱାନଙ୍କ ୬୭ ରନ ବଳରେ ୧୭୬ ରନ କରିଥିଲା । ନ୍ୟୁଜିଲାଣ୍ଡ ୧୯ ଓଭରରେ ବିଜୟୀ ହୋଇଥିଲା । ଡେଭିଡ ୱାର୍ଣ୍ଣର ୪୯ ରନ କରିଥିଲେ ।

ଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିଲା । ନ୍ୟୁଜିଲାଣ୍ଡ ୧୭୩ ରନର ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଥିଲା । କେନ ୱିଲିୟମସନ ୮୫ ରନ କରିଥିଲେ । ଜବାବରେ ୧୮.୫ ଓଭରରେ ୨ ୱିକେଟ ହରାଇ ଅଷ୍ଟ୍ରେଲିଆ ବିଜୟୀ ହେବା ସହ ଟାଇଟଲ ହାସଲ କରିଥିଲା । ମିଚେଲ ମାର୍ଶ ମ୍ୟାଚ ବିଜୟୀ ୭୭ ରନର ଇନିଂସ ଖେଳିଥିଲେ ।

Comments are closed.