Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ, ଷ୍ଟକ ବଜାର ଦୁର୍ନୀତିର ତଦନ୍ତ ଦାବି କଲେ ରାହୁଲ ଗାନ୍ଧୀ

ପୀୟୁଷ ଗୋୟଲ କହିଲେ ପରାଜୟ ଗ୍ରହଣ କରିପାରୁନାହିଁ କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କିଛି ଗମ୍ଭୀର ଅଭିଯୋଗ ଆଣି ଷ୍ଟକ ବଜାର ଦୁର୍ନୀତିର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ବିଜେପିର ଶୀର୍ଷ ନେତାମାନେ ନିର୍ବାଚନ ଫଳାଫଳ ଘୋଷଣାର କିଛି ଦିନ ପୂର୍ବରୁ ଷ୍ଟକ ମାର୍କେଟକୁ ନେଇ କାହିଁକି ମନ୍ତବ୍ୟ ଦେଲେ ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ନେତାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବରିଷ୍ଠ ବିଜେପି ନେତା ପୀୟୂଷ ଗୋଏଲ କହିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କ ଦଳର ନିର୍ବାଚନୀ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେଥିପାଇଁ ସେ ବର୍ତ୍ତମାନ ବଜାର ନିବେଶକମାନଙ୍କୁ ବିଭ୍ରାନ୍ତ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି।

ରାହୁଲ ଗାନ୍ଧୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରଥମ ଥର ପାଇଁ ଆମେ ଲକ୍ଷ୍ୟ କରିଛୁ ଯେ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଷ୍ଟକ ବଜାର ଉପରେ ମନ୍ତବ୍ୟ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଷ୍ଟକ ବଜାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଜୁନ୍ ୪ରେ ଷ୍ଟକ ବଜାର ବୃଦ୍ଧି ପାଇବ ଏବଂ ଆପଣମାନେ ସମସ୍ତେ ନିବେଶ କରିବା ଉଚିତ୍। ଅର୍ଥମନ୍ତ୍ରୀ ମଧ୍ୟ ସମାନ ଦାବି କରିଛନ୍ତି। ଅମିତ ଶାହା କହିଛନ୍ତି, ଜୁନ୍ ୪ ପୂର୍ବରୁ ସେୟାର କିଣନ୍ତୁ। ମେ ୧୯ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜୁନ୍ ୪ରେ ଷ୍ଟକ ବଜାର ରେକର୍ଡ ଭାଙ୍ଗିବ।

ଲୋକସଭା ନିର୍ବାଚନରେ ବିଜେପିକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନ ମିଳିବାରୁ ବିଏସଇ ସେନସେକ୍ସ ପ୍ରାୟ ୬ ପ୍ରତିଶତ ହ୍ରାସ ପାଇଥିବାରୁ ଇକ୍ୱିଟି ନିବେଶକମାନେ ୩୧ ଲକ୍ଷ କୋଟି ଟଙ୍କାର ବିପୁଳ କ୍ଷତି ସହିଥିବା ରାହୁଲ ଗାନ୍ଧୀ ଏହି ଅଭିଯୋଗ ଆଣିଛନ୍ତି।

ମେ ୧୩: ଜୁନ୍ ୪ ପୂର୍ବରୁ ସେୟାର କିଣିବାକୁ ଲୋକଙ୍କୁ କହିଥିଲେ ଅମିତ ଶାହ
ମେ ୧୯: ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଜୁନ୍ ୪ରେ ଷ୍ଟକ ବଜାର ରେକର୍ଡ ଭାଙ୍ଗିବ
ଜୁନ୍ ୧: ଶେଷ ପର୍ଯ୍ୟାୟ ମତଦାନ, ଯାହା ପରେ ଗଣମାଧ୍ୟମରେ ଏକ୍ଜିଟ୍ ପୋଲ୍ ଜାରି
ଜୁନ୍ ୩: ରେକର୍ଡ ଭାଙ୍ଗି ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଷ୍ଟକ ବଜାର
ଜୁନ୍ ୪: ଷ୍ଟକ ବଜାରରେ ସବୁଠାରୁ ବଡ଼ ହ୍ରାସ। ବିଶେଷ କରି କ୍ଷୁଦ୍ର ନିବେଶକମାନେ ୩୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି

ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପିର ଆଭ୍ୟନ୍ତରୀଣ ସରକାରୀ ସର୍ଭେରେ ସେମାନଙ୍କୁ ୨୨୦ ଟି ଆସନ ମିଳିବ ବୋଲି ଆକଳନ କରାଯାଇଥିଲା। ୨୦୦ରୁ ୨୨୦ ସିଟ୍ ପାଇବେ ବୋଲି ଇଣ୍ଟେଲିଜେନ୍ସି ସରକାରଙ୍କୁ କହିଥିଲା।

Comments are closed.