Latest Odisha News

BREAKING NEWS

କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସୁରକ୍ଷାକର୍ମୀ ଗିରଫ; ଜାଣନ୍ତୁ, ଏହା ପଛର କାରଣ

ଚଣ୍ଡିଗଡ଼: ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡା ମାରିଥିବା ସିଆଇଏସଏଫ୍ ମହିଳା ସୁରକ୍ଷାକର୍ମୀ କୁଲଦୀପ କୌର ଗିରଫ । ତାଙ୍କ ନାମରେ ଆଇପିସି ଧାରା ୩୨୩ ଏବଂ ୩୪୧ ଅନୁସାରେ ମାମଲା ରୁଜୁ ହୋଇଛି । ତେବେ ଗୁରୁବାର ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଇଯାଇଥିଲା ।

ତେବେ ଚାପୁଡା ମାରିବା ପଛରେ କୃଷକ ଆନ୍ଦୋଳନ ଉପରେ କଙ୍ଗନା ଦେଇଥିବା ମନ୍ତବ୍ୟ ରହିଛି । ଭାଇରାଲ ହେଉଥିବା ଭିଡିଓରେ କୁଲଦୀପ କୌର କହୁଛନ୍ତି ଯେ, ୨୦୨୦ ମସିହାରେ ପଞ୍ଜାବରେ କୃଷକ ଆନ୍ଦୋଳନ ସମୟରେ କଙ୍ଗନା କହିଥିଲେ ଯେ, ପ୍ରତ୍ୟେକ ମହିଳା ୧୦୦ ଟଙ୍କା ନେଇ ଧାରଣାରେ ବସିଛନ୍ତି । ମୋ ମାଆ ମଧ୍ୟ ଏଥିରେ ବସିଥିଲେ । ଏଥିସହିତ କୃଷକ ଆନ୍ଦୋଳନରେ ବିରୋଧ କରୁଥିବା ଲୋକଙ୍କୁ କଙ୍ଗନା ରାଣାୱତ ମଧ୍ୟ ଆତଙ୍କବାଦୀ ବୋଲି କହିଥିବା ଅଭିଯୋଗ ହୋଇଛି । ଏଥିପାଇଁ ସୁରକ୍ଷାକର୍ମୀ ଜଣକ କ୍ରୋଧିତ ହୋଇ ରହିଥିଲେ ଯେତେବେଳେ କଙ୍ଗନାଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ଦେଖିଥିଲେ ସେତେବେଳେ ସେ ତାଙ୍କୁ ଚାପୁଡ଼ା ମାରିଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ହିମାଚଳପ୍ରଦେଶ ମଣ୍ଡିରୁ ଲୋକସଭା ନିର୍ବାଚନ ଜିତିବା ପରେ କଙ୍ଗନା ଗୁରୁବାର ଦିଲ୍ଲୀ ଯାଉଥିବା ସମୟରେ ଚଣ୍ଡିଗଡ଼ ବିମାନବନ୍ଦରରେ ଏ ଘଟଣା ଘଟିଥିଲା । ଏହି ମାମଲାରେ ଅଭିଯୁକ୍ତ ସିଆଇଏସଏଫ୍ ମହିଳା କନଷ୍ଟେବଳ କୁଲଦୀପ କୌରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ତାଙ୍କ ବିରୋଧରେ ଏଫଆଇଆର ପାଇଁ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି ।

Comments are closed.