ବାଲେଶ୍ବର: ଜିଲ୍ଲାରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ। ବାଲେଶ୍ୱର ସହରରେ ବନ୍ଦ ରହିଛି ଇଣ୍ଟରନେଟ ସେବା । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପରେ ପୁରା ସହରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି । ଏନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ଓଟି ରୋଡକୁ ସଂଯୋଗ କରୁଥିବା ସବୁ ରାସ୍ତା ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି କର୍ଫ୍ୟୁ କାଳରେ ଜରୁରୀ ସେବା କଟକଣା ମୁକ୍ତ ଥିବାବେଳେ, ପରୀକ୍ଷାର୍ଥୀଙ୍କ ଉପରେ କଟକଣା ଲାଗୁ ହେବନି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଘଟଣାରେ ୩୪ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୪୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କର୍ଫ୍ୟୁ ସମୟରେ ଘରୁ ନବାହାରି ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି ।
ସହରରେ ସମସ୍ତେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବାଲେଶ୍ୱରକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ କରାଯାଇଛି । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ବେଳେ ସ୍ଥିତି ଉପରେ ନଜର ରହିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଘଟଣାର ଅନୁଧ୍ୟାନ କରୁଥିବା ସେ କହିଛନ୍ତି । ଗତ ସୋମବାର ରାତିଠୁ ପୋଲିସ ଛାଉଣୀ ପାଲଟିବା ସହ ବାଲେଶ୍ବର ସହରରେ ଘନଘନ ପଇଁତରା ମାରୁଛି ପୋଲିସ ଫୋର୍ସ । ଡାକବାଜି ଯନ୍ତ୍ରରେ କର୍ଫ୍ୟୁ କଟକଣା ପାଳନ କରିବାକୁ ଏବଂ ଶାନ୍ତିରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅପିଲ କରାଯାଉଛି।
Comments are closed.