Latest Odisha News

ଚିନ୍ତା ବଢ଼ାଉଛି ଡିପଥେରିଆ; ଆଜିଠୁ ରାୟଗଡ଼ାରେ ଆରମ୍ଭ ହେଲା ବୁଷ୍ଟର ଡୋଜ

ରାୟଗଡ଼ା: ରାଜ୍ୟରେ ବ୍ୟାପୁଛି ଡିପଥେରିଆ ସଂକ୍ରମଣ । ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ ନେଇଛି । ଆଜିଠୁ ରାୟଗଡ଼ାର କାଶୀପୁରରେ ବୁଷ୍ଟର ଡୋଜ ଆରମ୍ଭ ହୋଇଛି । ୮୦ଟି ଗାଁରେ ବୁଷ୍ଟର ଡୋଜ୍ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ୩ଟି ବିଭାଗରେ ବିଭକ୍ତ କରାଯାଇଛି ।

ପ୍ରଥମେ ନବଜାତ ଶିଶୁ ଠାରୁ ଏକ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବ । ଦ୍ୱିତୀୟରେ ୧ ରୁ ୭ ବର୍ଷ ମଧ୍ୟରେ ଶିଶୁଙ୍କୁ ଡିପିଟି ଡୋଜ ଓ ତୃତୀୟରେ ୭ ରୁ ୧୫ ବର୍ଷ ମଧ୍ୟରେ ଶିଶୁଙ୍କୁ ଟିଡି ଡୋଜ ଦିଆଯିବ । ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି ।

ସର୍ଭିଲାନ୍ସ ସରିବା ପରେ ସଂକ୍ରମଣ ବ୍ୟାପିଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ । ଡିପଥେରିଆ ମୁକାବିଲା ପାଇଁ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ୍ ଦିଆଯାଇଛି । ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ସର୍ଭିଲାନ୍ସ କରାଯିବ ।

ସୂଚନାଯୋଗ୍ୟ, ବର୍ତ୍ତମାନ ୩ ଜିଲ୍ଲାରେ ୨୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ୫ ଜଣଙ୍କ ମୃତ୍ୟୁ ହୋଇସାରିଛି । କୋରାପୁଟ ବନ୍ଧୁଗାଁର ଜଣେ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ।

Comments are closed.