Latest Odisha News

BREAKING NEWS

ନାଳରେ ନାବାଳକ ଭାସି ଯିବା ଘଟଣା, ନିଲମ୍ବିତ ହେଲେ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ଡ୍ରେନେଜ୍ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ନିଲମ୍ୱିତ। ୟୁନିଟ୍-୩ ଅଞ୍ଚଳରେ ଖୋଲା ଡ୍ରେନରେ ଭାସି ଯାଇ ଜଣେ ନାବାଳକଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ନିଲମ୍ବିତ ସହକାରୀ ଯନ୍ତ୍ରୀ ହେଉଛନ୍ତି ସନ୍ତୋଷ କୁମାର ଦାସ।

ଜୁନ୍ ୧୮ ତାରିଖରେ ୟୁନିଟ୍-୩ ଅଞ୍ଚଳରେ ଏକ ଖୋଲା ଡ୍ରେନରେ ଜଣେ ୯ ବର୍ଷର ବାଳକ ଭାସି ଯାଇ ପ୍ରାଣ ହରାଇଛି। ଗଭୀର ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକସନ୍ତପ୍ତ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏହାପରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏପରିକି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ରିପୋର୍ଟ ମାଗିଥିଲେ। ରିପୋର୍ଟ ମିଳିବା ପରେ ରାଜ୍ୟ ସରକାର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ନିଲମ୍ବିତ କରିଛନ୍ତି। ରିପୋର୍ଟରେ ଡ୍ରେନକୁ ବ୍ୟାରିକେଡ୍ କରାଯାଇ ନଥିବା ଏବଂ ଏଥିପାଇଁ ସନ୍ତୋଷ ଦାସଙ୍କୁ ଦାୟୀ କରାଯାଇଥିବା ଦର୍ଶାଯାଇଛି।

Comments are closed.