Latest Odisha News

ନିଟ୍ ପେପର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ଦେଓଘରରୁ ଚିଣ୍ଟୁଙ୍କ ସମେତ ୬ ଗିରଫ

ରାଞ୍ଚି: ନିକଟରେ ନିଟ୍ ପରୀକ୍ଷା ପରେ ପେପର ଲିକ୍ ଘଟଣା ସାମ୍ନାକୁ ଆସିଛି। ସେହିପରି ପ୍ରଶ୍ନପତ୍ର ଲିକର କନେକ୍ସନ ବିହାର ଓ ଝାଡ଼ଖଣ୍ଡକୁ ମଧ୍ୟ ସଂଯୋଗ କରୁଥିବା ଦେଖିବାକୁ ମିଳୁଛି। ବିହାର ପୋଲିସର ଏକାଧିକ ଟିମ୍ ଏ ନେଇ ଲଗାତାର କାର୍ଯ୍ୟାନୁଷ୍ଠାନରେ ନିୟୋଜିତ ଅଛନ୍ତି।

ଏହି କ୍ରମରେ ବିହାର ପୁଲିସ ଟିମ୍ ଝାଡ଼ଖଣ୍ଡର ଦେଓଘରରେ ପହଞ୍ଚିଛି। ମେଡିକାଲ ପ୍ରବେଶିକା ପରୀକ୍ଷା ନିଟରେ ଅନିୟମିତତା ଅଭିଯୋଗରେ ବିହାର ପୁଲିସ ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରୁ ୬ ଜଣଙ୍କୁ ଗିରଫ କରିଛି। ଶନିବାର ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି।

ଦେବୀପୁରା ଥାନା ଅଧୀନ ଦେଓଘର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ନିକଟରେ ଥିବା ଏକ ଘରୁ ଶୁକ୍ରବାର ରାତିରେ ୬ ଜଣଙ୍କୁ ଅଟକ ରଖାଯାଇଛି। ଦେଓଘର ସଦର ଉପଖଣ୍ଡ ପୁଲିସ ଅଧିକାରୀ ରିତ୍ବିକ ଶ୍ରୀବାସ୍ତବ କହିଛନ୍ତି, ବିହାର ପୁଲିସ ପକ୍ଷରୁ ଆମକୁ ସୂଚନା ଦିଆଯାଇଥିଲା। ଆମ ପରିଚୟ ଆଧାରରେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ସମସ୍ତ ସନ୍ଦିଗ୍ଧଙ୍କୁ ବିହାର ନିଆଯାଇଛି। ସନ୍ଦିଗ୍ଧମାନେ ଝୁନୁ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରେ ରହୁଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତମାନେ ହେଲେ ପରମଜିତ ସିଂହ ଓରଫ ବିଟ୍ଟୁ, ବଳଦେବ କୁମାର ଓରଫ ଚିଣ୍ଟୁ, ପ୍ରଶାନ୍ତ କୁମାର ଓରଫ କାଜୁ, ଅଜିତ କୁମାର, ରାଜୀବ କୁମାର ଓରଫ କାରୁ ଓ ପାଙ୍କୁ କୁମାର ବୋଲି ଦେଓଘର ପୁଲିସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଏମାନେ ସମସ୍ତେ ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ମେ ୫ ରେ ନିଟ୍-ୟୁଜି ପରୀକ୍ଷା ଆୟୋଜନ କରିଥିଲା। ଯେଉଁଥିରେ ପାଖାପାଖି ୨୪ ଲକ୍ଷ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଜୁନ୍ ୪ତାରିଖରେ ଫଳ ପ୍ରକାଶ ପାଇଥିଲେ ହେଁ ଏହା ପରେ ପ୍ରଶ୍ନପତ୍ର ଲିକ୍ ବ୍ୟତୀତ ବିହାର ଭଳି ରାଜ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।

Comments are closed.