Latest Odisha News

BREAKING NEWS

ନୂଆ ସରକାର ପାଇଁ ଦରବୃଦ୍ଧି ଚିନ୍ତା, ମନ୍ତ୍ରୀ କହିଲେ ପ୍ରତି ବ୍ଲକରେ ତିଆରି ହେବ ଶୀତଳ ଭଣ୍ଡାର

ଭୁବନେଶ୍ୱର: କ୍ଷମତାରେ ବସୁ ବସୁ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି। ଆକାଶ ଛୁଇଁ ପରିବା ଦର ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହାରି ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ବଜାର ସ୍ଥିତି ସମୀକ୍ଷା କରିଛନ୍ତି।

ପନିପରିବା ଦର ବୃଦ୍ଧି ପାଉଥିବା ବେଳେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି।

ନାସିକ ଓ ଆନ୍ଧ୍ରପ୍ରଦେଶରୁ ପିଆଜ କୁଇଣ୍ଟାଲ ପିଛା ୨ ହଜାର ୯୫୩ ଟଙ୍କାରେ ଆମଦାନୀ ହେଉଛି। ହୋଲସେଲର ଓ ଖୁଚୁରା ବ୍ୟବସାୟୀଙ୍କ ପରିବହନ ଖର୍ଚ୍ଚ ଓ ଲାଭ ମାର୍ଜିନ ଯୋଡ଼ିବା ପୂର୍ବରୁ ଏହାର ମୂଲ୍ୟ ୨୯.୫୩ ଟଙ୍କା ରହିଛି। ଏସବୁ ଖର୍ଚ୍ଚ କୁ ମିଶାଇ ବଜାରରେ ପିଆଜର ଚୂଡ଼ାନ୍ତ ବିକ୍ରି ମୂଲ୍ୟ କିଲୋ ପିଛା ୪୦ ଟଙ୍କା ଛୁଇଁଛି ବୋଲି ମନ୍ତ୍ରୀ କହିଛନ୍ତି।

ପନିପରିବାକୁ ବେଆଇନ ଭାବେ ମହଜୁଦ ରଖିବା ଉପରେ ସରକାର କଡ଼ା ନଜର ରଖିଛନ୍ତି । ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ପଶ୍ଚିମବଙ୍ଗ ଓ ଆସାମରେ ଆଳୁ ଦର ବୃଦ୍ଧି ଯୋଗୁଁ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

ରାଜ୍ୟରେ ଟମାଟୋ ଓ ଅନ୍ୟାନ୍ୟ ପନିପରିବା ଦର ବୃଦ୍ଧି ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ସରକାର ଏହାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି। ରାଜ୍ୟର ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ଖୋଲିଲେ ସମସ୍ୟାର ସମାଧାନ ହୋଇପାରିବ ଏବଂ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ। ଏଥିପାଇଁ ସମୟ ଲାଗିବ, କିନ୍ତୁ ଆମେ ଏଥିପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.