Latest Odisha News

BREAKING NEWS

ଖଣି ଲୁଟେରାଙ୍କୁ କଣ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ?

ଭୁବନେଶ୍ବର: ଜନ୍ମମାଟିରୁ ସିଧା ଜବାବ । କେନ୍ଦୁଝରରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟାର୍ଗେଟ୍ । କହିଲେ, ଖଣି ମାଫିଆଙ୍କୁ ଛାଡିବିନି । କେନ୍ଦୁଝରକୁ ଲୁଟ୍ କରାଯାଇଥିଲା । ଜିଲ୍ଲାର ଖଣି ଲୁଟରେ ସେତେବେଳର ରାଜ୍ୟ ସରକାର ସଂପୃକ୍ତ । କିଛି ଅଣଓଡିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି। ଯେଉଁମାନେ ବି ଲୁଟିଛନ୍ତି ସେମାନଙ୍କ ବିରୋଧରେ କଡା ଆକ୍ସନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖଣି ଦୁର୍ନୀତି କଥା ନବୀନ ସରକାର ବେଳେ ବି ଉଠାଇଥିଲା ବିଜେପି । ଦୁର୍ନୀତିରେ ଉପରୁ ତଳ ଯାଏଁ ବହୁ ବଡବଡିଆଙ୍କ ସଂପୃକ୍ତି ରହିଥିବା ବି କୁହାଯାଉଛି। ତେଣୁ ପ୍ରଶ୍ନ ଉଠୁଛି, ସତରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ତ ମୋହନ ସରକାର ?

 

ଚୁପ୍ ରହିବାକୁ ଯାଚିଥିଲେ ମନ୍ତ୍ରୀ ପଦ !

ଜନ୍ମମାଟିରେ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରି ପୂର୍ବ ବିଜେଡି ସରକାର ଉପରେ ବର୍ଷିଥିଲେ ମୋହନ ମାଝୀ । କେନ୍ଦୁଝରର ଖଣି ଲୁଟେରାଙ୍କୁ ଛାଡିବେନି, ଜେଲ୍ ପଠାଇବେ ବୋଲି କହିଛନ୍ତି । ପୂର୍ବରୁ ବିରୋଧୀ ଦଳରେ ଥିବା ବେଳେ ବି ଖଣି ମାଫିଆଙ୍କ ବିରୋଧରେ ଲଢୁଥିଲେ। ଏପରିକି ଏହାକୁ ନେଇ ସରକାର ଡରୁଥିଲେ। ମୁହଁ ବନ୍ଦ କରିବାକୁ ସେତେବେଳେ ପୂର୍ବ ସରକାର ମନ୍ତ୍ରୀ ପଦ ଓ ଖଣି ଦେବାକୁ ଯାଚୁଥିଲେ ବୋଲି ସଂଗୀନ ଅଭିଯୋଗ ଆଣିଛନ୍ତି ମୋହନ ମାଝୀ । ତେବେ ସେ ବିକ୍ରି ହେବା ଲୋକ ନୁହନ୍ତି ବୋଲି କହିଛନ୍ତି। ସରକାର ଭୟଭୀତ ହୋଇ ତାଙ୍କୁ ମଣ୍ଡୁଆଠାରେ ବୋମା ଫୋପାଡି ମାରିବାକୁ ଉଦ୍ୟମ କରିଥିବା ମୋହନ ମାଝୀ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

 

ନାଁ ନନେଇ ପାଣ୍ଡିଆନଙ୍କୁ ଆଟାକ୍ !

ପୂର୍ବ ବିଜେଡି ସରକାରକୁ ସିଧାସଳଖ ଓ ନାଁ ନନେଇ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ମୋହନ ମାଝୀ । ସୁପର ଚିଫମିନିଷ୍ଟର ଯେତେ ସଭାରେ ଭାଷଣ ଦେବେ ସେତେ ଭୋଟ୍ କମିବ ବୋଲି ଗୁଇନ୍ଦା ରିପୋର୍ଟ ମିଳିଥିଲା । ସୁପର ସିଏମ୍ ଗୋଡ ତଳୁ ମାଟି ଖସୁଛି ବୋଲି ଜାଣିପାରିନଥିଲେ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ ମୋହନ ମାଝୀ । ପୂର୍ବ ମୁଖ୍ୟମନ୍ତ୍ରୀ ଏକ ନମ୍ବର ଥିଲେ ତେବେ ରାଜ୍ୟ କାହିଁକି ଏକନମ୍ବର ନୁହେଁ ବୋଲି ପ୍ରଶ୍ନ କରିଛନ୍ତି । ତେବେ ବିଜେପି ସରକାର ଗରିବ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବେ। ଯାହା ଗତ ବିଜେଡି ଶାସନରେ ପୂରଣ ହୋଇନି ଏବେ ପୂରଣ ହେବ ବୋଲି ମୋହନ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି।

 

ଖଣି ଦୁର୍ନୀତି, ଆକ୍ସନ ହେବ ତ ?

ବିଜେଡି ସରକାରରେ ଥିବା ବେଳେ ଖଣି ଦୁର୍ନୀତିକୁ ପ୍ରସଙ୍ଗ କରିଥିଲା ବିଜେପି । ଦଳର ଆଗଧାଡିର ନେତା ବିଜେଡି ସରକାରକୁ ଘେରୁଥିଲେ। ରାଜ୍ୟ ସରକାର ଓ ଖଣି ଲିଜଧାରୀଙ୍କ ମଧ୍ୟରେ ଅନୈତିକ ବୁଝାମଣା ଯୋଗୁଁ ବିପୁଳ ପରିମାଣର ରାଜସ୍ବ କ୍ଷତି ହେଉଥିବା କହି ଟାର୍ଗେଟ୍ କରୁଥିଲେ । ଏପରିକି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ବିନା ଅନୁମତିରେ ଖଣି ଖୋଲା ଚାଲିଥିବା ବି ଦଳ ଅଭିଯୋଗ କରିଥିଲା। କୁହାଯାଉଛି, ଖଣି ଦୁର୍ନୀତିରେ ରାଜ୍ୟର ବହୁ ହାଇପ୍ରୋଫାଇଲ୍ ନେତା, ଅଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ବି ସାମିଲ। ତେଣୁ ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିବା ମୋହନ ସରକାର ପାଇଁ ସହଜ ହେବନି । ରାଜନୈତିକ ବୁଝାମଣା ବି ବାଟରେ ବାଧା ସୃଷ୍ଟି କରିପାରେ। ତେଣୁ ନିଜ ଅଞ୍ଚଳରେ ଖଣି ଲୁଟେରାଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଥିଲେ ବି, ଖଣି ଦୁର୍ନୀତି ଉପରୁ ପରଦା ହଟାଇବାକୁ ହେଲେ ମୋହନ ସରକାରଙ୍କୁ କେନ୍ଦ୍ରରୁ ବି ଗ୍ରୀନ୍ ସିଗନାଲ ନେବାକୁ ପଡିପାରେ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଅଞ୍ଚଳର, ତେଣୁ ଖଣି ମାଫିଆ ଓ ଦୁର୍ନୀତିକୁ ବେଶ୍ ପାଖରୁ ଦେଖିଥିବେ ବା ଜାଣିଥିବେ । ବେଆଇନ୍ କାରବାରକୁ ନେଇ ବି ତାଙ୍କ ପାଖରେ ଯଥେଷ୍ଟ ସୂଚନା ରହିଥିବ । ତେବେ ଆକ୍ସନ୍ ହେଲେ ତାତି ରାଜନୈତିକ ସମୀକରଣକୁ ବି ପ୍ରଭାବିତ କରିବ । ରାଜ୍ୟ ବିଜେପିକୁ ହାଲକା ଟାର୍ଗେଟ୍ କରୁଥିଲେ ବି କେନ୍ଦ୍ର ବିଜେପିର ବନ୍ଧୁ ରହି ଆସିଛି ବିଜେଡି । ଏବେ ଯଦିଓ ବିଜେଡିର ଲୋକସଭାରେ ପ୍ରତିନିଧିତ୍ବ ନାହିଁ, ତେବେ ବିଜେଡି ପ୍ରତି ମୋଦି ସରକାରର କେମିତି ଆଭିମୁଖ୍ୟ ରହିବ, ସେକଥା ସ୍ପଷ୍ଟ ହୋଇନି । ଖଣି ଦୁର୍ନୀତିକୁ ନେଇ ପୂର୍ବ ବିଜେଡି ସରକାର ବେଳେ ରାଜ୍ୟ ବିଜେପି ବାରମ୍ବାର ଟାର୍ଗେଟ୍ କରୁଥିଲେ ବି ନବୀନ ସରକାରଙ୍କ ବିରୋଧରେ କେନ୍ଦ୍ରରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଯେବେକି ଝାଡଖଣ୍ଡ ହେଉ କି ଦିଲ୍ଲୀ, ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବି ଗିରଫ କରିଥିଲା ଇଡି । ହେଲେ ରାଜ୍ୟରେ ଖଣି ଦୁର୍ନୀତିକୁ ନେଇ ସେତେବେଳେ ଆଖି ବୁଜି ଦେଇଥିଲେ କେନ୍ଦ୍ର ସରକାର । ମୋହନ ମାଝୀ କେନ୍ଦୁଝରରେ ଖଣି ଦୁର୍ନୀତିକୁ ନେଇ ଗର୍ଜନ କରିଛନ୍ତି । ହେଲେ ତଦନ୍ତର ଆଞ୍ଚ କେତେ ବାଟ ଯିବ ସେନେଇ ବି ସନ୍ଦେହ ରହିଛି । ସେପଟେ ଦୁର୍ନୀତି ବିରୋଧରେ ବିଜେପିକୁ ବାଛିଛନ୍ତି ରାଜ୍ୟବାସୀ । ମୋହନ ମାଝୀ ବି ଖଣି ଦୁର୍ନୀତିକୁ ନେଇ ମୁଖର ରହିଛନ୍ତି । ହେଲେ ସେଭଳି ଆଖିଦୃଶିଆ ଆକ୍ସନ୍ ନହେଲେ ଜନତା ଅଦାଲତକୁ ବି ଭିଡାହେବେ ବିଜେପି ସରକାର ।

Comments are closed.