Latest Odisha News

BREAKING NEWS

ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ଅପରାହ୍ନ ୫ଟାରେ ରଥଟଣା

ପୁରୀ: ରଥାଯାତ୍ରା ପାଇଁ ଶେଷ ହୋଇଛି ନୀତି ସବକମିଟି ଓ ଛତିଶାନିଯୋଗର ଯୁଗ୍ମ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଜୁଲାଇ ୭ ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ ଅପରାହ୍ନ ୫ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଛି । ଯାହା ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ପରିଚାଳନା କମିଟି ବୈଠକରେ ଚୂଡାନ୍ତ ନୀତିନିର୍ଘଣ୍ଟକୁ ମୋହର ମରାଯିବ ।

ସେପଟେ ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହା ଅନୁଯାୟୀ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଆଜ୍ଞାମାଳ ବିଜେ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଛତିଶାନିଯୋଗ ବୈଠକର ନିଷ୍ପତ୍ତି ଅନୁଯାୟୀ ପଟିଦିଁଅଙ୍କ ନିକଟରୁ ଆଜ୍ଞାମାଳ ଯିବାପରେ ରଥଖଳାରୁ ସିଂହଦ୍ଵାର ନିକଟକୁ ରଥଟଣା ହେବ । ତେଵେ ଚଳିତବର୍ଷ କ୍ଷୟ ଯୋଗୁଁ ଗୋଟିଏ ଦିନରେ ରଥଯାତ୍ରା, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ ସମସ୍ତ ନୀତିକାନ୍ତି କରାଯାଇ ଅପରାହ୍ନ ୫ଟାରେ ଅର୍ଥାତ ବିଳମ୍ବରେ ରଥଟଣା ହେବ ।

ତେବେ ଛତିଶାନିଯୋଗ ବୈଠକରେ ନୀତିନିର୍ଘଣ୍ଟ ଅନୁଯାୟୀ ରାତ୍ର ଦୁଇ ଟାରେ ମଙ୍ଗଳ ଆଳତୀ, ୨.୪୦ରେ ଦଶଵତାର ଠାକୁର ବାହୁଡାବିଜେ, ୩ଟାରେ ଅଣସର ତାଟି ଫିଟିବ, ୩.୪୫ରେ ଦଇତାପତି ସର୍ବାଙ୍ଗ, ୪ଟାରେ ନେତ୍ରୋତ୍ସବ ବନ୍ଦାପନା, ୫ଟା ୨୫ରେ ଦ୍ୱାରପାଳ ପୂଜା, ସକାଳ ୬ଟାରୁ ୭ଟା ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ, ୭ଟା ୩୦ରୁ ୧୨ ଟା ମଧ୍ୟରେ ସେନାପଟା ଲାଗି, ଦିନ ୧୧ଟାରେ ରଥ ପ୍ରତିଷ୍ଠା, ଦିନ ୧ଟାରେ ମଙ୍ଗଳାର୍ପଣ, ଦିନ ୧ଟା ୧୦ରେ ଧାଡି ପହଣ୍ଡି ଆରମ୍ଭ, ଦିନ ୨ଟା ୩୦ରେ ପହଣ୍ଡି ଶେଷ, ଅପରାହ୍ନ ୪ଟାରେ ଛେରାପହଁରା, ଅପରାହ୍ନ ୪ଟା ୩୦ରେ ଚାରଫିଟା ଓ ଘୋଡା ସାରଥୀ ଲାଗିବା ଓ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।

ତେବେ ଚଳିତବର୍ଷ ୧୫ ତାରିଖ ଦିନ ବାହୁଡାଯାତ୍ରା ହୋଇଥିବା ବେଳେ ୧୭ ତାରିଖ ଦିନ ସୁନାବେଶ ଅନୁଷ୍ଠିତ ହେବ ।

Comments are closed.