Latest Odisha News

ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପୂର୍ବରୁ ଓ ପରେ ଭିଡିଓଗ୍ରାଫି କରିଛୁ: ଜଷ୍ଟିସ ବିଶ୍ୱନାଥ ରଥ

ପୁରୀ: ଆଜି ବହୁ ପ୍ରତିକ୍ଷୀତ ରତ୍ନଭଣ୍ଡାର ଖୋଲାଯାଇଛି। ରାଜ୍ୟ ସରକାରଙ୍କ ଏସଓପି ମୁତାବକ ରତ୍ନଭଣ୍ଡାର ଖୋଲି ଭିତରକୁ ପ୍ରବେଶ କରିଥିଲେ ଅଧିକୃତ ସଦସ୍ୟମାନେ । ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା। ହେଲେ ଭିତର ରତ୍ନଭଣ୍ଡାର ଖୋଲାଯାଇନି। ଆଉ ଦିନେ ଦିନ ଧାର୍ଯ୍ୟ କରି ରତ୍ନଭଣ୍ଡାର ଖୋଲାଯିବ ବୋଲି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ତେବେ ରତ୍ନଭଣ୍ଡାରରେ କିଛି ସମୟ ଅତିବାହିତ କରି ସଦସ୍ୟମାନେ ବାହାରିବା ପରେ ଯାହା କହିଛନ୍ତି, ସେ ମୁତାବକ ପୁରୀ ଜିଲ୍ଲାପାଳ ଦେଇଥିବା ଚାବିଗୁଡିକରେ ରତ୍ନଭଣ୍ଡାରର କୌଣସି ତାଲା ଖୋଲି ନଥିଲା । ତେଣୁ ପୁରୁଣା ତାଲାଗୁଡିକୁ କାଟି ସଦସ୍ୟମାନେ ଭିତରକୁ ପ୍ରବେଶ କରିଥିଲେ । ବାହାର ରତ୍ନଭଣ୍ଡାରରେ ଥିବା ସମସ୍ତ ସାମଗ୍ରୀ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଉପସ୍ଥିତିରେ ଚାଙ୍ଗଡା ଘରକୁ ସ୍ଥାନାନ୍ତର କରାଯାଇଛି।

ଭିତର ଭଣ୍ଡାରରେ ୩ଟି ତାଲା ପଡ଼ିଥିଲା, ଗୋଟିଏ ସିଲ୍ ଥିଲା ଓ ୨ଟି ଅନ୍‌ସିଲ୍ ଥିଲା। ଚାବି ଦ୍ବାରା ନଖୋଲିବାରୁ ଏସଓପି ଅନୁସାରେ ତାଲା ଭାଙ୍ଗି ଖୋଲାଯାଇଥିଲା। ଭିତର ଭଣ୍ଡାର ସ୍ଥିତି ବିଶେଷ କିଛି ଖରାପ ନଥିବା କହିଲେ ଜଷ୍ଟିସ ବିଶ୍ବନାଥ ରଥ। ଜଷ୍ଟିସ ରଥଙ୍କ କହିବା ଅନୁସାରେ, “ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପୂର୍ବରୁ ଓ ପରେ ଭିଡିଓଗ୍ରାଫି କରୁଛୁ। ମନ୍ଦିରକୁ ଠିକ୍ ୧୨ଟାରେ ପ୍ରବେଶ କଲୁ, ମାଆ ବିମଳା ଓ ଲକ୍ଷ୍ମୀଙ୍କ ଦର୍ଶନ କଲୁ। ଠିକ୍ ୧ ଟା ୨୮ରେ ବାହାର ରତ୍ନ ଭଣ୍ଡାର ଏସଓପି ଅନୁସାରେ ଚାବି ଦ୍ବାରା ଖୋଲିଲୁ। ବାହାର ଭଣ୍ଡାର ଖୋଲିବା ପରେ ଭିଡିଓଗ୍ରାଫି କରି ଅନ୍ୟତ୍ର ସ୍ଥାନାନ୍ତର କଲୁ। ବାହାର ଭଣ୍ଡାର କାମ ସରିଲା ବେଳକୁ ପ୍ରାୟ ୩ ଘଣ୍ଟା ହୋଇଯାଇଥିଲା । ବହୁତ ଦିନ ଧରି ବନ୍ଦ ଥିବାରୁ କିଛି ସ୍ଥାନରେ ପଥର ଓ ଗୁଣ୍ଡ ଖସିଛି। ପୁଣି ୨ଟି ନୂଆ ତାଲା ପକାଇ ସିଲ୍ କରାଗଲା, ଚାବି ଟ୍ରେଜେରୀରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ସେହିପରି ଭିତର ଭଣ୍ଡାରକୁ ନେଇ ଲୋକଙ୍କ ମନରେ ଅବିଶ୍ବାସ ସୃଷ୍ଟି କରାଯାଇଥିଲା। ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଭିତର ଭଣ୍ଡାରକୁ ପ୍ରବେଶ କଲୁ ବୋଲି କହିଲେ ଅଧ୍ୟକ୍ଷ। ଭିତରକୁ ଯାଇଥିବା ସଦସ୍ୟମାନଙ୍କର କିଛି କ୍ଷତି ହୋଇନି। ଆପଣମାନେ ଦେଖୁଛନ୍ତି ଆମେ ସମସ୍ତେ ସୁରକ୍ଷିତ। ପୂର୍ବରୁ ଏନେଇ ଗପ ଓ ସିନେମା ସୃଷ୍ଟି କରାଯାଇଥିଲା। ଏମିତିକି ଭିତର ଭଣ୍ଡାରରେ ଏତେ ଓଦା ଥିଲା ଭଳି ଅନୁଭବ କରିନି ବୋଲି କହିଛନ୍ତି ଷ୍ଟିସ ବିଶ୍ବନାଥ ରଥ। ତେବେ ୪୬ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର । ତାଲା ଭାଙ୍ଗି ଭିତରଭଣ୍ଡାରକୁ ହାଇଲେବଲ୍ କମିଟି ପ୍ରବେଶ କରିଥିଲେ । ଷ୍ଟ୍ରଙ୍ଗରୁମକୁ ବାହାର ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ରଥଯାତ୍ରା ପରେ ହେବ ଭିତର ଭଣ୍ଡାର ଅଳଙ୍କାର ସିଫ୍ଟିଂ ।

Comments are closed.