Latest Odisha News

ଜମ୍ମୁ-କାଶ୍ମୀର: ୭୮ ଦିନରେ ୧୧ ଥର ଆତଙ୍କବାଦୀ ଆକ୍ରମଣ, ମୋଦୀ ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଗତକାଲି ରାତିରୁ ଜମ୍ମୁ-କାଶ୍ମୀରର ଡୋଡାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଜଙ୍ଗଲରେ ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟ ହେଉଛି। ଏହି ଏନକାଉଣ୍ଟରରେ ଜଣେ ସେନା ଅଧିକାରୀଙ୍କ ସମେତ ୪ ଜଣ ସହିଦ ହୋଇଛନ୍ତି। ଏବେ ବି କିଛି ଆତଙ୍କବାଦୀ ଜଙ୍ଗଲରେ ଲୁଚି ରହିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ସୁରକ୍ଷା ବାହିନୀ ଏହି ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ହେଲିକପ୍ଟର ସାହାଯ୍ୟରେ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି। ସେନା, ପୋଲିସ ଏବଂ ସିଆରପିଏଫର ମିଳିତ ଏହି ଅପରେସନ୍ ଚାଲିଛି।

ଗତ କିଛି ମାସ ମଧ୍ୟରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ କ୍ରୋଧୀତ ହୋଇ ମୋଦୀ ସରକାରଙ୍କ ଉପରେ ସିଧାସଳଖ ଆକ୍ରମଣ କରିଛି। କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ପୋଷ୍ଟ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି ଯେ ଗତ ୭୮ ଦିନ ମଧ୍ୟରେ ଜମ୍ମୁରେ ୧୧ଟି ଆତଙ୍କବାଦୀ ଆକ୍ରମଣ ହୋଇଛି। ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଆମେ ଦଳ ରାଜନୀତିଠାରୁ ଉର୍ଦ୍ଧ୍ୱକୁ ଯାଇ ସାମୂହିକ ଭାବେ ଏକ ଜବାବ ଦେବା ଉଚିତ୍।

ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି ଯେ ଜମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଆମର ସୁରକ୍ଷା ରଣନୀତିରେ କିଛି ପରିବର୍ତ୍ତନ ଆଣିବା ଆବଶ୍ୟକ। ମୋଦୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, “ମୋଦୀ ସରକାର ଏପରି କାର୍ଯ୍ୟ କରୁଛନ୍ତି ଯେପରି ସବୁକିଛି ସାଧାରଣ ଚାଲିଛି ଏବଂ କିଛି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ସରକାର ଜାଣିବା ଉଚିତ ଯେ ଜମ୍ମୁ ଅଞ୍ଚଳ ଏହି ଆକ୍ରମଣର ଶିକାର ହେବାକୁ ଯାଉଛି। ” ଖଡଗେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଏକ ରାଷ୍ଟ୍ର ଭାବରେ ଆମକୁ ସାମୂହିକ ଭାବେ ସୀମା ଆତଙ୍କବାଦୀ ବିରୋଧରେ ଲଢିବାକୁ ପଡ଼ିବ ଏବଂ ସାହସୀ ସୁରକ୍ଷା ବାହିନୀ ସହିତ କଂଗ୍ରେସ ଦୃଢ ଭାବରେ ଠିଆ ହୋଇଛି।

ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଜମ୍ମୁ କାଶ୍ମୀରରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସରକାରଙ୍କୁ ଘେରିଛନ୍ତି। ରାହୁଲ କହିଛନ୍ତି ଯେ ଗୋଟିଏ ପରେ ଗୋଟିଏ ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ଚିନ୍ତାଜନକ। ମୋଦୀ ସରକାରଙ୍କୁ ଦାୟୀ କରି ରାହୁଲ ଏପରି କହିଛନ୍ତି। ଏଥି ସହ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସରକାରଙ୍କୁ ଘେରିଛନ୍ତି। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ସମାପ୍ତ କରିବାକୁ ମୋଦୀ ସରକାରଙ୍କୁ ଦାବି କରିଛି କଂଗ୍ରେସ।

Comments are closed.