Latest Odisha News

ଓଡିଶା ବଦଳରେ ମଧ୍ୟପ୍ରଦେଶ ପକ୍ଷରୁ ଖେଳିବେ ଶୁଭ୍ରାଂଶୁ

କଟକ: ଓଡିଶାର ଉଦୀୟମାନ କ୍ରିକେଟର ଶୁଭ୍ରାଂଶୁ ସେନାପତି ନିଜ ରାଜ୍ୟ ପକ୍ଷରୁ ଆଉ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆଗାମୀ ଘରୋଇ ସିଜନରେ ସେ ମଧ୍ୟପ୍ରଦେଶ ପକ୍ଷରୁ ଖେଳିବେ ବୋଲି କହିଛନ୍ତି । ଓଡିଶା କ୍ରିକେଟ ଆସୋସିଏଶନ ନିକଟରୁ ସେ ଏ ନେଇ ବିଧିବଦ୍ଧ ଭାବେ ଏନଓସି ମଧ୍ୟ ଆଣିଛନ୍ତି । ମୋ କ୍ୟାରିୟର ପାଇଁ ଏହି ନିଷ୍ପତି ନେଇଛି । ମୋ ପୂର୍ବରୁ ଓଡିଶାର ଅନେକ ଖେଳାଳି ରାଜ୍ୟ ଛାଡି ଯିବା ପରେ ବେଶ ସଫଳତା ହାସଲ କରିଛନ୍ତି । ମୁଁ ମଧ୍ୟ ଏହି ଆଶାରେ ରହିଛି ବୋଲି ଏହି ପ୍ରତିଭାବାନ କ୍ରିକେଟରଜଣଙ୍କ କହିଛନ୍ତି । ମଧ୍ୟପ୍ରଦେଶ କୋଚ ଚନ୍ଦ୍ରକାନ୍ତ ପଣ୍ଡିତ ମୋ ସହିତ ଯୋଗାଯୋଗ କରିଥିଲେ । ମୁଁ ଏଥିରେ ରାଜି ହୋଇଥିଲି, ଏବେ ଓସିଏ ଏ ନେଇ ମୋତେ ଭରପୂର ସହଯୋଗ କରିଛି ବୋଲି ସେ କହିଛନ୍ତି ।

ଓସିଏ ଯେଉଁ ସୁବିଧା ସୁଯୋଗ ମୋତେ ଯୋଗାଇଛି ସେଥିପାଇଁ ସବୁବେଳେ ଋଣୀ ରହିବି । କ୍ୟାରିୟକୁ ସଜାଡିବା ପାଇଁ ଏହା ମୋର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତି । ଶୁଭ୍ରାଂଶୁ ଓଡିଶାର ୧୦ମ ଖେଳାଳି ଭାବେ ନିଜ ରାଜ୍ୟ ଛାଡି ଅନ୍ୟଠାରେ ଖେଳିଛନ୍ତି । ସେ ୮ ବର୍ଷ ହେବ ଓଡିଶା ପକ୍ଷରୁ ଖେଳି ଆସୁଛନ୍ତି । ୫୫ ମ୍ୟାଚରେ ୨୯୬୭ ରନ କରିବା ସହ ୮ଟି ଶତକ ଓ ୧୨ ଅର୍ଦ୍ଧଶତକ ମାରିଛନ୍ତି । ୨୦୨୩ରେ ରଣଜୀ ସିଜନରେ ସେ ମଧ୍ୟପ୍ରଦେଶ ବିପକ୍ଷରେ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ୨୭୭ ରନ ସଂଗ୍ରହ କରିଥିଲେ । ଏ ଲିଷ୍ଟ କାଟାଗୋରୀରେ ୪୯ ମ୍ୟାଚ ଖେଳି ୧୩୮୦ ରନ ଏବଂ ଟି୨୦ରେ ୩୯ ମ୍ୟାଚରୁ ୧୦୮୨ ରନ ସଂଗ୍ରହ କରିଛନ୍ତି ।

Comments are closed.