Latest Odisha News

BREAKING NEWS

ରତ୍ନଭଣ୍ଡାରକୁ ନେଇ ବଡ଼ ସୂଚନା, ଜଷ୍ଟିସ ରଥ କହିଲେ ଭିତରେ ଥିଲା ୩ଟି ତାଲା କିନ୍ତୁ ମିଳିଲା ୨ଟି ଚାବି

ଭୁବନେଶ୍ଵର: ରତ୍ନଭଣ୍ଡାର ସଂପର୍କରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା । ଭିତର ଭଣ୍ଡାରରେ ପଡିଥିଲା ୩ଟି ତାଲା । କିନ୍ତୁ ଚାବି ୨ଟି ଥିବା କହିଲେ ଜଷ୍ଟିସ ରଥ । ମିଳିଥିବା ବନ୍ଦ ଲଫାପା ଖୋଲିବାରୁ ସେଥିରୁ ୨ଟି ଚାବି ମିଳିଥିଲା । ତାଲା ଏବଂ ଚାବି ଦେଖିବା ପରେ ଏ ଚାବି ଏ ତାଲାର ନୁହେଁ ବୋଲି ଜାଣିଥିଲୁ । କାରଣ ବିଲାତ ଅମଳର ତାଲା ପାଇଁ ୨ଟି ଛୋଟ ଚାବି ଦିଆଯାଇଥିଲା ବୋଲି କହିଛନ୍ତି ଜଷ୍ଟିସ ରଥ ।

ଜଷ୍ଟିସ ରଥ ଆହୁରି ମଧ୍ୟ କହିଛନ୍ତି ଯେ, ରକ୍ଷଣା ବେକ୍ଷଣା ଅଭାବରେ ରତ୍ନଭଣ୍ଡାର ଦୁରାବସ୍ଥାରେ ରହିଛି । ଭଣ୍ଡାର ଖୋଲୁ ଖୋଲୁ ଆମେ ଯାହା ଦେଖିଲୁ ତାହା ମୋତେ ଦୁରାବସ୍ଥା ଭଳି ଲାଗିଲା । ରତ୍ନଭଣ୍ଡାର ଏମିତି ରହିବା କଥା ନୁହେଁ ବୋଲି ଆମର ହୃଦବୋଧ ହେଲା । ପ୍ରଥମେ ଦେଖିଲୁ କିଛି ଛୋଟ ଛୋଟ ଧାତୁ ନିର୍ମିତ ଠାକୁର ମୂର୍ତ୍ତି । ସେସବୁ ଠାକୁର ମୂର୍ତ୍ତି ଗୁଡ଼ିକ ଖଟୁଲି ଉପରେ ଥିଲା । ଏଥିସହ ଅନେକ ଜିନିଷ ମଧ୍ୟ ଦେଖିଛୁ । କିନ୍ତୁ ସେସବୁ ଭଗବାନଙ୍କ ଜିନିଷ ସେସବୁ ମୁଁ କହିପାରିବିନି ।

ତେବେ ଭଣ୍ଡାର ଭିତରେ ଗୋଟେ ଲୁହା ସିନ୍ଦୁକ ସହ କିଛି କାଠ ସିନ୍ଦୁକ ଥିଲା । ୨ଟି ସିନ୍ଦୁକରେ ତାଲା ପଡ଼ିବାର ବ୍ୟବସ୍ଥା ଥିଲା କିନ୍ତୁ ସେଥିରେ ତାଲା ପଡ଼ି ନଥିଲା । ଗୋଟିଏ ତାଲା ଠିକ୍‌ ପଡ଼ିଥିଲା କିନ୍ତୁ ଅନ୍ୟ ତାଲାର ଛିଟିକିଣି ଓହଳିଥିଲା । ସେହିପରି ୨ଟି କାଠ ସିନ୍ଦୁକରେ ତାଲା ନଥିଲା । ସେ ସିନ୍ଦୁକ ଖୋଲା ପଡ଼ିଥିଲା ବୋଲି କହିଛନ୍ତି ଜଷ୍ଟିସ ରଥ । ତେବେ ୭୮ ମସିହାରେ ବହୁ ବିଦ୍ବାନ ବ୍ୟକ୍ତି ରତ୍ନଭଣ୍ଡାର ଭିତରକୁ ଯାଇଥିଲେ । ସେମାନେ ଏମିତି ତାଲା ଖୋଲି ଚାଲି ଆସିଥିବା ମୋର ବିଶ୍ବାସ ହେଉନି ବୋଲି କହିଛନ୍ତି ଜଷ୍ଟିସ ରଥ ।

ମିଳିଥିବା ପୂର୍ବ ତାଲିକାକୁ ନେଇ ଜଷ୍ଟିସ ରଥ କହିଛନ୍ତି ଯେ, ଲଫାପାରେ ଆମକୁ ଚାବି ସହ ଗୋଟେ ତାଲିକା ବି ଦିଆଯାଇଛି । ସେ ତାଲିକା ୭୮ ମସିହାର ତାଲିକା ବୋଲି କୁହାଯାଉଥିଲା । କିନ୍ତୁ ସେଟା ୨୦୧୮ରେ ପ୍ରସ୍ତୁତ ହୋଇଥିବାର ଅନୁମାନ କରାଯାଉଛି । ୨୦୧୮ରେ ଯେଉଁ ଚାବି ମଳିଲା, ସେତିକିବେଳେ ଏହି ତାଲିକା ସେହି ଲଫାପାରେ ରଖାଯାଇ ଥାଇପାରେ । କାରଣ ଏହା ଯଦି ୭୮ ମସିହାର ତାଲିକା ହୋଇଥାଆନ୍ତା ତେବେ ସେଥିରେ ପୁରୁଣା ଚାବି ରହିବା କଥା ।

Comments are closed.