Latest Odisha News

BREAKING NEWS

ରେଢାଖୋଲରେ ଚାଞ୍ଚଲ୍ୟ, ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

ସମ୍ବଲପୁର: ରେଢାଖୋଲରେ ଚାଞ୍ଚଲ୍ୟ । ବିଳମ୍ୱିତ ରାତିରେ ଘରେ ଶୋଇଥିବା ଦମ୍ପତ୍ତିଙ୍କୁ ବିଭତ୍ସ ହତ୍ୟା । ରେଢ଼ାଖୋଲ ଥାନା ଅନ୍ତର୍ଗତ ଘରେ ପାଣ୍ଡିରିଶିଳା ଗାଁରେ ଦମ୍ପତିଙ୍କୁ ଭୁଜାଲିରେ ହାଣି ହତ୍ୟା ଅଭିଯୋଗ ହୋଇଛି। ଉଭୟେ ସ୍ବାମୀ ସ୍ତ୍ରୀ ନିଜ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଦମ୍ପତିଙ୍କୁ ହତ୍ୟା କରିଥିବା ଜଣାଯାଇଛି। ଖବର ପାଇ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ଉଭୟଙ୍କ ରକ୍ତାକ୍ତ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମୃତକ ଦୁଇ ଜଣ ହେଲେ ପାଣ୍ଡିରିଶିଳା ଗାଁର ସ୍ୱାମୀ ସ୍ତ୍ରୀ ଆଭାରମ କୁଜୁର ଓ କୁଆଁରୀ କୁଜୁର । ଗତକାଲି ରାତିରେ କେହି ଜଣେ ଦୁର୍ବୃତ୍ତ ଘର ଭିତରେ ପଶି ପ୍ରଥମେ ସ୍ୱାମୀଙ୍କୁ ହାଣିବା ପରେ ସ୍ତ୍ରୀକୁ ଭୁଜାଲିରେ ଆକ୍ରମଣ କରିଥିଲା । ସ୍ଵାମୀ କୁଆଁରୀ କୁଜୁର ଚିତ୍କାର କରିବାରୁ ଦୌଡ଼ି ଆସିଥିଲେ ପରିବାର ଲୋକ । ପରିବାର ଲୋକ ଆସିଲା ବେଳକୁ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କିଏ ଏବଂ କେଉଁ କାରଣରୁ ଏପରି କାଣ୍ଡ ଭିଆଇଛି ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ପରିବାର ଲୋକ କୁଆଁରୀଙ୍କ ଭିଣୋଇ ଉପରେ ସନ୍ଦେହ କରୁଛନ୍ତି । ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

Comments are closed.