Latest Odisha News

BREAKING NEWS

ସରକାରୀ କାମରେ ଓଡିଆ ଛାପ: କାଲି ଭିତରେ ରିପୋର୍ଟ ଦେବାକୁ ସଚିବଙ୍କୁ ତାଗିଦ୍

ଭୁବନେଶ୍ବର: ଓଡିଆ ଅସ୍ମିତାକୁ ଅସ୍ତ୍ର କରି ଏଥର ଶାସନ ଗାଦିରେ ବିଜେପି ସରକାର । ସେଥିପାଇଁ ସବୁ କ୍ଷେତ୍ରରେ ଓଡିଆ ଅସ୍ମିତାକୁ ପ୍ରଧାନ୍ୟ ଦେଉଛନ୍ତି ମୋହନ ସରକାର । କ୍ଷମତାକୁ ଆସିବା ପରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟର ନଥିପତ୍ର ଓଡିଆରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଏ କାର୍ଯ୍ୟ ରାଜ୍ୟରେ କେତେ ଦୂର ଯାଏଁ ଲାଗୁ କରାଯାଇଛି ତାହାକୁ ପରଖିବାକୁ ସବୁ ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ସମସ୍ତ ରିପୋର୍ଟ ୨୯ ତାରିଖ ସୁଦ୍ଧା ଅର୍ଥାତ୍ ଆସନ୍ତାକାଲି ସୁଦ୍ଧା ପୈଠ କରିବାକୁ ଚିଠି ଜାରି କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଗତ ୨୫ ତାରିଖରେ ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ଏ ବିଷୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସଚିବ କହିଛନ୍ତି, ଓଡ଼ିଆ ଭାଷାରେ ବିଭାଗର ନଥିପତ୍ର କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ଜ୍ଞାନକୌଶଳ ପ୍ରୟୋଗ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଥିଲେ । ତେଣୁ ବଭିନ୍ନ ବିଭାଗ କି ପଦକ୍ଷେପ ନେଇଛି ତାହା ୨୯ତାରିଖ ସୁଦ୍ଧା ଜଣାଇବାକୁ ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏହି ଚିଠିରେ ସ୍ପଷ୍ଟ ଲେଖାଅଛି ଯେ, ରାଜ୍ୟ ସରକାର ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରୟୋଗ ଉପରେ ପ୍ରାଧାନ୍ୟ ଦେଉଥିବାରୁ ଅନୁଷ୍ଠାନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ବର୍ତ୍ତମାନଠାରୁ ସମସ୍ତ ନଥିକାର୍ଯ୍ୟ ଯଥା ଟିପ୍ପଣୀ, ଆଦେଶ,ବିଜ୍ଞପ୍ତି, ଚିଠି, ସଭା ବିବରଣୀ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ ସମ୍ପାଦନ କରିବାକୁ ଜଣାଇ ଦିଆଗଲା ।

Comments are closed.