Latest Odisha News

ବାର୍ଷିକ ପ୍ରାୟ ୪ ହଜାରରୁ ଊର୍ଧ୍ବ ମୁଣ୍ଡ ଏବଂ ଗଳା କର୍କଟ ରୋଗୀଙ୍କ ଅସ୍ତ୍ରୋପଚାର କରୁଛି ଏମ୍‌ସ

ଭୁବନେଶ୍ୱର: ବର୍ଷକୁ ବର୍ଷ ମୁଣ୍ଡ ଏବଂ ଗଳା କର୍କଟ ରୋଗୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟୁଛି। ଯାହାକି ନିହାତି ଚିନ୍ତାଜନକ। ଏମ୍‌ସ ଭୁବନେଶ୍ୱରର ଇଏନ୍‌ଟି ଏବଂ ରେଡିଓଥେରାପି ବିଭାଗକୁ କେବଳ ବାର୍ଷିକ ୧୦ ହଜାରରୁ ଅଧିକ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଏଥିମଧ୍ୟରୁ ସାଢ଼େ ତିନି ହଜାରରୁ ୪ ହଜାର ରୋଗୀ କେବଳ ମୁଣ୍ଡ ଏବଂ ଗଳା କର୍କଟ ଭାବେ ଚିହ୍ନଟ ହେଉଛନ୍ତି। ଏମାନଙ୍କର ଅସ୍ତ୍ରୋପଚାର କରାଯାଉଥିବା ବେଳେ ପ୍ରାୟ ୧୨ଶହରୁ ଅଧିକ ରୋଗୀ ରେଡିଓଥେରାପି ଏବଂ କେମୋଥେରାପି ଗ୍ରହଣ କରନ୍ତି।

ତେବେ ମଦ୍ୟପାନ ଏବଂ ତମାଖୁ ସେବନ ହେତୁ ମୁଣ୍ଡ ଏବଂ ଗଳା କର୍କଟ ରୋଗର ଭୟାବହତା ବୃଦ୍ଧି ଘଟୁଥିବା କହିଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ । ତମାଖୁ ସେବନ, ଧୂମପାନ ଏବଂ ମଦ୍ୟପାନ ପରି କୁଅଭ୍ୟାସ କାରଣରୁ ଏହା କ୍ରମଶଃ ଭୟଙ୍କର ରୂପ ଧାରଣ କରୁଛି। ମୁଣ୍ଡ ଏବଂ ଗଳା କର୍କଟ, ବିଶେଷତଃ ମୁଖ ଗହ୍ବରକୁ ପ୍ରଭାବିତ କରିଥାଏ। ଭାରତୀୟଙ୍କ ମଧ୍ୟରେ ଏହା ସର୍ବାଧିକ କର୍କଟ ଅଟେ। ମହିଳାଙ୍କ ତୁଳନାରେ ଏହି ରୋଗରେ ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି। ପାଟି ଖୋଲିବାରେ ଅସୁବିଧା ହେବା ସହିତ ପାଟି କ୍ରମଶଃ ସଙ୍କୁଚିତ ହୋଇଯିବା, ତୁଣ୍ଡ ଘା’, ଦାନ୍ତ ଓ ବେକ ଫୁଲିଯିବା ଭଳି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବାକୁ ଏମ୍‌ସ ଇଏନ୍‌ଟି ଏବଂ ମୁଣ୍ଡ ଏବଂ ଗଳା ସର୍ଜରୀ ବିଭାଗର ମୁଖ୍ୟ ଡ. ପ୍ରଦୀପ କୁମାର ପରିଡ଼ା ପରାମର୍ଶ ଦେଇଛନ୍ତି।

 

Comments are closed.