Latest Odisha News

ମଧ୍ୟାହ୍ନ ଭୋଜନରେ ଜୋକ, ବଇଓଙ୍କୁ ଘେରିଲେ ଅଭିଭାବକ

ଭଦ୍ରକ: ମଧ୍ୟାହ୍ନ ଭୋଜନରୁ ବାହାରିଲା ଜୋକ। ମଧ୍ୟାହ୍ନ ଭୋଜନ ବର୍ଜନ କଲେ ଛାତ୍ରଛାତ୍ରୀ । ଏଥିସହ ମଧ୍ୟାହ୍ନ ଭୋଜନ ଆଣିଥିବା ଗାଡ଼ିକୁ ଅଟକ ରଖିଛନ୍ତି ଅଭିଭାବକମାନେ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅଧିନରେ ଥିବା ରାଧାକାନ୍ତପୁର ଦିବାକରମିଶ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ।

ସୂଚନା ଅନୁସାରେ, ଗତକାଲି ଜଣେ ଛାତ୍ରୀ ଖାଇବା ବେଳେ ତାଙ୍କ ମଧ୍ୟାହ୍ନ ଭୋଜନରୁ ଏକ ଜୋକ ବାହାରିଥିଲା । ଏନେଇ ଶିକ୍ଷକଙ୍କୁ ଅବଗତ କରାଇଥିଲେ ଉକ୍ତ ଛାତ୍ରୀ ଜଣଙ୍କ । ଏହାପରେ ପ୍ରାଧନ ଶିକ୍ଷକ ପର୍ଶୁରାମ ସାହୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସ୍ଥାନୀୟ କାଉନସିଲରଙ୍କୁ ଅବଗତ କରାଇଥିଲେ। ଏଥିସହ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଯେଉଁ ସଂସ୍ଥା ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଇ ଆସୁଛି ତା’ ବିରୋଧରେ ଅଭିଯୋଗ କରିଥିଲେ କମିଟି ସଭାପତି । ପୂର୍ବରୁ ମଧ୍ୟ ଉକ୍ତ ସଂସ୍ଥା ବିରୋଧରେ ନିମ୍ନମାନର ଖାଦ୍ୟ ଦେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସିଛି ବୋଲି ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରିଥିଲେ କମିଟି ।

ଅନ୍ୟପଟେ ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ବର୍ଜନ କରିଛନ୍ତି। ଏଥିସହ ମଧ୍ୟାହ୍ନ ଭୋଜନ ଆଣିଥିବା ଗାଡ଼ିକୁ ଅଭିଭାବକମାନେ ଅଟକ ରଖିଛନ୍ତି। ତେବେ ମଧ୍ୟାହ୍ନ ଭୋଜନ ଗାଡ଼ି ଅଟକ ରହିବା କାରଣରୁ ଆଦର୍ଶ ବିଦ୍ୟାଳୟ ଇରମ ସମେତ ଚାରିଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇଛନ୍ତି। ଏନେଇ ଖବରପାଇବା ପରେ ବିଦ୍ୟାଳୟରେ ପହଞ୍ଚିଥିଲେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ । ଅଭିଭାବକମାନେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଘେରିଯାଇଥିବା ଦେଖିବାକୁ ମିଳିଥିଲା ।

 

Comments are closed.