Latest Odisha News

BREAKING NEWS

ମେଗା ନିଲାମୀ ନା ମିନି ନିଲାମୀ ?

ନୂଆଦିଲ୍ଲୀ: ମେଗା ଖେଳାଳି ନିଲାମୀ ନେଇ ଆଇପିଏଲର ବିଭିନ୍ନ ଟିମ୍ ମଧ୍ୟରେ ସହମତିର ଅଭାବ । ବିସିସିଆଇକୁ ଅଡୁଆରେ ପକାଇଛି ଟିମ୍ ମାଲିକଙ୍କ ଅସହମତି । ବିବାଦୀୟ ଇମ୍ପାକ୍ଟ ପ୍ଲେୟାର ନିୟମ ବାବଦରେ ଆଇପିଏଲ ଟିମ୍ ବସ୍ ଏକମତ ହୋଇନାହାନ୍ତି । ଏସବୁ ପ୍ରସଙ୍ଗରେ ଆଇପିଏଲ ଟିମ୍ ମାଲିକଙ୍କ ସହ ଆଲୋଚନା କରିଛି । ବୈଠକରେ କିନ୍ତୁ କୌଣସି ନିଷ୍ପତ୍ତି ହୋଇନାହିଁ । ମେଗା ପ୍ଲେୟାର ଅକସନ୍ ଓ ଇମ୍ପାକ୍ଟ ପ୍ଲେୟାର ରୁଲ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଇପିଏଲ ଟିମ୍ ମାଲିକଙ୍କ ମତାମତା ନିଆଯାଇଛି । ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ବୈଠକ ପରେ ବିବୃତି ଜରିଆରେ କହିଛନ୍ତି ବିସିସିଆଇ ସଚିବ ଜୟ ଶାହା ।

ବିସିସିଆଇ ବୈଠକରେ ଆଇପିଏଲ ମେଗା ନିଲାମୀ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏ ପ୍ରସଙ୍ଗରେ ପଞ୍ଜାବ କିଙ୍ଗ୍‌ସ ସହ ମାଲିକ ନେସ୍ ୱାଡିଆ ଏବଂ କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ଆଇପିଏଲ ସିଜନ ପୂର୍ବରୁ ମେଗା ପ୍ଲେୟାର ଅକସନ ବା ନିଲାମୀ ହେବ । କେକେଆର ସହ ମାଲିକ ଶାହରୁଖ ଖାନ କିନ୍ତୁ ମେଗା ଅକସନ ନେଇ ଆପତ୍ତି ଉଠାଇଥିଲେ । ମେଗା ନିଲାମୀ ବଦଳରେ ବିସିସିଆଇ ଆଗାମୀ ଆଇପିଏଲ ସିଜନ ପୂର୍ବରୁ ଛୋଟ ନିଲାମ ଡାକୁ ବୋଲି ମତ ରଖିଥିଲେ ଶାହରୁଖ୍ । ପଂଜାବ କିଙ୍ଗ୍‌ସ ମାଲିକ ନେସ୍ ୱାଡିଆ କିନ୍ତୁ ଶାହରୁଖଙ୍କ ପ୍ରସ୍ତାବକୁ ସମର୍ଥନ କରିନଥିଲେ । ଆଉ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସନରାଇଜର୍ସ ହାଇଦ୍ରାବାଦ ମାଲିକାଣୀ କାବ୍ୟା ମାରନ ମଧ୍ୟ ମେଗା ପ୍ଲେୟାର ଅକସନକୁ ବିରୋଧ କରିଥିବା ସୂଚନା ମିଳିଛି । ଶାହରୁଖଙ୍କ ପରି କାବ୍ୟା ମଧ୍ୟ ମେଗା ଅକସନ୍ ବଦଳରେ ଏକ ମିନି ଅକ୍ସନ ପ୍ରସ୍ତାବକୁ ସମର୍ଥନ କରିଥିବା ଜଣାପଡିଛି ।

ତିନି ବର୍ଷକୁ ଥରେ ହୁଏ ଆଇପିଏଲ ମେଗା ଅକସନ । ଏହି ନିଲାମୀରେ ସବୁ ଆଇପିଏଲ ଟିମକୁ ଜଣେ ବିଦେଶୀ କ୍ରିକେଟର ସହ ଚାରି କ୍ରିକେଟରଙ୍କୁ ରିଟେନସନ ପାଇଁ ଅନୁମତି ମିଳେ । କିନ୍ତୁ କିଛି ଆଇପିଏଲ ଟିମ୍ ଏକରୁ ଅଧିକ ବିଦେଶୀ କ୍ରିକେଟରଙ୍କୁ ବଜାୟ ରଖିବା ଚାହାନ୍ତି । କେକେଆର, ସନରାଇଜର୍ସ ଓ ଦିଲ୍ଲୀ କ୍ୟାପିଟାଲସ ଏକରୁ ଅଧିକ ବିଦେଶୀ କ୍ରିକେଟରଙ୍କ ରିଟେନସନ ଚାହୁଁଥିବା ଜଣାପଡିଛି । ଆଇପିଏଲ ଟିମ୍‌ର ବ୍ରାଣ୍ଡ୍ ବିଲଡିଂ ଓ ଫ୍ୟାନ୍‌୍ ଏଙ୍ଗେଜମେଂଟ ପାଇଁ ବହୁତ ପରିଶ୍ରମ କରିବାକୁ ପଡେ ବୋଲି କେକେଆର ଓ ଏସଆରଏଚ୍ ଯୁକ୍ତି ଉପସ୍ଥାପନ କରିଥିଲେ । ଚୁକ୍ତିବଦ୍ଧ ଖେଳାଳିଙ୍କୁ କିଛି ବର୍ଷ ଗୋଟିଏ ଟିମରେ ରହିବା ଆବଶ୍ୟକ ବୋଲି ଏସଆରଏଚ ମାଲିକାଣୀ କାବ୍ୟା ମାରନ କହିଥିଲେ । ଯୁବ କ୍ରିକେଟରଙ୍କୁ ପରିପକ୍ୱ ହେବା ପାଇଁ ସମୟ ଲାଗେ ବୋଲି କେକେଆର ଓ ଏସଆରଏଚ ଟିମ୍ ପକ୍ଷରୁ ବିସିସିଆଇ ଆଗରେ ଦୃଢ ଯୁକ୍ତି ଉପସ୍ଥାପନ କରାଯାଇଛି । ମେଗା ଅକସନ ନେଇ ସହମତିର ଅଭାବ ବିସିସିଆଇ ବସଙ୍କ ପାଇଁ ନିଶ୍ଚିତ ଭାବେ ମୁଣ୍ଡବ୍ୟଥା ଆଣିଛି । ଖୁବ୍ ଶୀଘ୍ର ନିଷ୍ପତ୍ତି ଶୁଣାଇବ ବୋର୍ଡ ।

Comments are closed.