Latest Odisha News

BREAKING NEWS

ଅଯୋଧ୍ୟା ଲଜ୍ଜା : ଟାର୍ଗେଟରେ ସମାଜବାଦୀ ପାର୍ଟି

ଅଯୋଧ୍ୟା: ଅଯୋଧ୍ୟାରେ ୧୨ ବର୍ଷିୟା ନାବାଳିକାଙ୍କୁ ଗଣ ଦୁଷ୍କର୍ମ ନେଇ ଚାଂଚଲ୍ୟ । ଟାର୍ଗେଟରେ ସମାଜବାଦୀ ପାର୍ଟି । ଅଭିଯୁକ୍ତଙ୍କ ବେକେରୀରେ ଚାଲିଲା ବୁଲଡୋଜର୍ । ଅଭିଯୁକ୍ତ ବେକେରୀ ମାଲିକ ମୋଇଦ ଖାନ୍ ସମାଜବାଦୀ ପାର୍ଟିର ସଦସ୍ୟ । ଘଟଣାରେ ମୋଇଦ ଖାନ ଓ ବେକେରୀ କର୍ମଚାରୀ ରାଜୁ ଖାନଙ୍କୁ ବାନ୍ଧିଛି ପୋଲିସ ।

ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗ ଉଠାଇ ଅଭିଯୁକ୍ତ ମୋଇଦ ଖାନ ସମାଜବାଦୀ ପାର୍ଟିର ସଦସ୍ୟ ବୋଲି ଘୋଷଣା କରିଛନ୍ତି ।

ପୋଲିସ ଅନୁସାରେ ମୋଇଦ ଖାନ ଓ ରାଜୁ ଖାନ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ଭିିଡିଓ ବନାଇ ବ୍ଲାକମେଲ୍ କରିଥିଲେ । ଦୁଷ୍କର୍ମ ମାମଲା ଦୁଇ ମାସ ତଳର । ପୀଡିତା ୧୨ ବର୍ଷିୟା ନାବାଳିକା ମୋଇଦ ଖାନଙ୍କ ବେକେରୀରେ କାମ କରୁଥିଲେ । ମେଡିକାଲ ଚେକଅପ ପରେ ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡିବା ପରେ ପ୍ରକୃତ କଥା ଜଣାପଡିଥିଲା ।

ଅଭିଯୁକ୍ତ ମୋଇଦ ଓ ରାଜୁ ଖାନଙ୍କୁ ଜୁଲାଇ ୩୦ରେ ଗିରଫ କରାଯାଇଥିଲା । ଭିଡିଓ କରି ବ୍ଲାକମେଲ କରିବା ସହ ଦେଢ ମାସ ଧରି ମୋଇଦ ଓ ରାଜୁ ନାବାଳିକାଙ୍କ ଯୈାନ ଶୋଷଣ କରିଥିବା ଅଯୋଧ୍ୟା ଏସଏସପି ରାଜ କରଣ ନୟର ସୂଚନା ଦେଇଛନ୍ତି । ଅଯୋଧ୍ୟା ଜିଲ୍ଲା ପୁରାକଲନ୍ଦର ଥାନା ଅଂଚଳର ଭଦରସା ଟାଉନରେ ଏହି ଜଘନ୍ୟ ଘଟଣା ଘଟିଥିଲା । ଅଭିଯୁକ୍ତଙ୍କୁ ଘଂଟ ଘୋଡାଇବା ଅଭିଯୋଗରେ ପୁରାକଲନ୍ଦର ଥାନାର ଏସଏଚଓ ଏବଂ ଭଦରସା ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।

ଘଟଣା ନେଇ ପୀଡିତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଥିଲେ । ଏହି ମାମଲାରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ସିଂହ ଯାଦବ ଅଭିଯୁକ୍ତର ଡିଏନଏ ଟେଷ୍ଟ ପାଇଁ ଦାବି କରିଛନ୍ତି । ସମାଜବାଦୀ ପାର୍ଟି ହ୍ୟାଣ୍ଡଲରୁ ଟ୍ୱିଟ୍ ରେ ଅଭିଯୁକ୍ତଙ୍କ ଡିଏନଏ ଟେଷ୍ଟ କରିବାକୁ ଦାବି କରିଛନ୍ତି ଅଖିଳେଶ । ମୋଇଦ ଖାନଙ୍କ ବିରୋଧରେ ବିଜେପି ଷଡଯନ୍ତ୍ର କରିଛି ବୋଲି କହିଛି ସମାଜବାଦୀ ପାର୍ଟି । ସମାଜବାଦୀ ପାର୍ଟିର ଏଭଳି ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ବିଜେପି ଓ ବହୁଜନ ସମାଜ ପାର୍ଟି । ବିଜେପି କହିଛି ଯେ, ଅଖିଳେଶଙ୍କ ଦଳ ଜଣେ ଶିଶୁ ଯୈାନ ଉତ୍ପୀଡକଙ୍କୁ ବଂଚାଇବାକୁ ଚେଷ୍ଟା କରୁଛି । ଏହି ଘଟଣାରେ ଇଂଡି ବ୍ଲକର ନୀରବତାକୁ ମଧ୍ୟ ପ୍ରଶ୍ନ କରିଛି ବିଜେପି । ବିଏସପି ଅଧ୍ୟକ୍ଷା ମାୟାବତୀ ସମାଜବାଦୀ ପାର୍ଟିର ଡିଏନଏ ଟେଷ୍ଟ ଦାବିକୁ କଡା ସମାଲୋଚନା କରିଛନ୍ତି ।

ଗିରଫ ଅଭିଯୁକ୍ତ ମୋଇଦ ଖାନ ସମାଜବାଦୀ ପାର୍ଟିର ସଦସ୍ୟ । ସେ ମଧ୍ୟ ଦଳର ଭଦରସା ଟାଉନ ସଭାପତି । ଫୈଜାବାଦର ସମାଜବାଦୀ ପାର୍ଟି ଲୋକସଭା ସଦସ୍ୟ ଅବଧେଶ ପ୍ରସାଦଙ୍କ ଘନିଷ୍ଠ ସହଯୋଗୀ ଭାବେ ମଧ୍ୟ ମୋଇଦ ଖାନ ଜଣାଶୁଣା । ତେବେ, ମୋଇଦଙ୍କ ସହ କୌଣସି ସଂପର୍କ ନାହିଁ ବୋଲି ଅବଧେଶ କହିଛନ୍ତି ।

ମୋଇଦ ଖାନଙ୍କ ବେକେରୀ ବେଆଇନ ଭାବେ ପ୍ରତିଷ୍ଠା କରାଯାଇଥିବାରୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି ବୋଲି ଅଯୋଧ୍ୟା ଏଡିଏମ କହିଛନ୍ତି । ବିଧାନସଭା ଅଧିବେଶନ ଚାଲିଥିବା ବେଳେ ନାବାଳିକା ଗଣଦୁଷ୍କର୍ମ ମାମଲା ଏବେ ରାଜନୈତିକ ରଙ୍ଗ ନେଇଛି । ସମାଜବାଦୀ ପାର୍ଟି ଏହି ପ୍ରସଙ୍ଗରେ ବ୍ୟାକଫୁଟରେ ଥିବା ମନେହେଉଛି ।

Comments are closed.