Latest Odisha News

BREAKING NEWS

ଜାଲିଆତି କରି ଟଙ୍କା ହଡ଼ପ ଅଭିଯୋଗ, ସରକାରୀ ଆକାଉଣ୍ଟରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଗାଏବ

ସୁବର୍ଣ୍ଣପୁର: ସରକାରୀ ଆକାଉଣ୍ଟରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଗାଏବ। ଜାଲିଆତି କରି ଟଙ୍କା ହଡ଼ପ ହୋଇଥିବା ସୂଚନା। ସୁବର୍ଣ୍ଣପୁର ଜିଲ୍ଲା ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କ ନାମରେ ୟୁନିୟନ ବ୍ୟାଙ୍କ ସୋନପୁର ଶାଖାରେ ଥିବା ଆକାଉଣ୍ଟରୁ ଟଙ୍କା ହେରଫେର ହୋଇଛି। ଏହି ଅର୍ଥକୁ ଜାଲିଆତି କରି କାର୍ଯ୍ୟାଳୟର ହିସାବ ରକ୍ଷକ ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରି ନେଇଛନ୍ତି। ନିର୍ବାହୀ ଯନ୍ତ୍ରୀଙ୍କ ଆଇଡି, ପାସୱାର୍ଡ, ଚେକ୍ ଓ ସିଲ୍ ବ୍ୟବହାର କରି ସେ ଏକାଧିକ ଥର ନିଜ ଆକାଉଣ୍ଟକୁ ବିପୁଳ ପରିମାଣର ଟଙ୍କା ଟ୍ରାନ୍ସଫର କରିଥିବା ଜଣାପଡିଛି।

ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା ଏ ସମ୍ପର୍କରେ ଜାଣିବା ପରେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ପୋଲିସ ଏହି ମାମଲା ଆମ ଅଧୀନରେ ନଥିବା କହି ମାମଲାର ପଞ୍ଜୀକୃତ କରିନଥିଲେ। କାର୍ଯ୍ୟାଳୟର ହିସାବ ରକ୍ଷକ ଜାଲିଆତି କରି ୧ କୋଟି ୧୯ ଲକ୍ଷ ୭୧ ହଜାର ଟଙ୍କା ନିଜ ଫାର୍ମ ଆକାଉଣ୍ଟକୁ ନେଇଥିବା ଜଣାପଡିଛି। ସହକାରୀ ହିସାବ ରକ୍ଷକ ବଳରାମ ମେହେର ଜଣେ ଆଉଟ ସୋସିଂ କର୍ମଚାରୀ। ତେବେ ଏଠାରେ ପ୍ରଶ୍ନ ଏତେ ପରିମାଣର ଟଙ୍କା ନେବା ସତ୍ତ୍ୱେ କେମିତି ନିର୍ବାହୀ ଯନ୍ତ୍ରୀ ଜାଣି ପାରିଲେ ନାହିଁ?

ଗୋଟିଏ ପଟେ ଚାଷୀଙ୍କ ନଳକୂପ ଖନନ ନହୋଇ କୋଟି କୋଟି ଟଙ୍କା ପଡ଼ି ରହିଥିବା ବେଳେ ଅନ୍ୟପଟେ ସରକାରୀ ଅଧିକାରୀଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଛି ସରକାରୀ ଅର୍ଥ । ଏହାର ବିଧିବଦ୍ଧ ତଦନ୍ତ ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ । ଘଟଣା ଜଣା ପଡ଼ିବା ପରେ ନିର୍ବାହୀ ଯନ୍ତ୍ରୀ ଅଫିସ୍ ଆସୁ ନଥିବାବେଳେ ଏହି ଘଟଣା ବାବଦରେ କିଛି କହିବାକୁ ଫୋନ ରେ ମନା କରିଦେଇଛନ୍ତି । ସେପଟେ ପୋଲିସ ମଧ୍ୟ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ।

Comments are closed.